ଆଦିବାସୀ ମେଳା : ପରମ୍ପରା ଓ ପ୍ରଗତିର ସଂଯୋଗ

47547ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁୟାରୀ ୨୬ ତାରିଖ ଦିନ ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆଠାରେ ଆଦିବାସୀ ମେଳା-୨୦୧୪ ଶୁଭାରମ୍ଭ ହୋଇଯାଇଛି । ଏହି ଆଦିବାସୀ ମେଳାକୁ ଏକ ବର୍ଣ୍ଣାଢ୍ୟ ଢଙ୍ଗରେ ଉପସ୍ଥାପନ କରାଯାଇଛି । ସମଗ୍ର ମେଳା ପରିସରକୁ ଆଦିବାସୀ ଅଞ୍ଚଳ ପରି ସଜ୍ଜା ଯାଇଛି । ଆଦିବାସୀ ମେଳା ପରିସରକୁ ଆଠଗୋଟି ବିଭାଗରେ ବିଭକ୍ତ କରାଯାଇଛି । ସେଥିରୁ ଗୋଟିଏ ବିଭାଗ ହେଉଛି ଆଦିବାସୀ ଗ୍ରାମପୁଞ୍ଜ । ଆଦିବାସୀ ଗ୍ରାମପୁଞ୍ଜ ଏକ ବାସ୍ତବ ଆଦିବାସୀ ଗ୍ରାମର ଭ୍ରମ ସୃଷ୍ଟି କରି ଆକର୍ଷଣୀୟ ହୋଇଛି । ଆଦିବାସୀ ଗ୍ରାମପୁଞ୍ଜରେ ୨୧ଟି ଆଇ.ଟି.ଡି.ଏ ଓ୮ଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ଵାରା ଅନୁସୂଚିତ ଜନଜାତିଙ୍କ ଘର ,ଗୃହ ଉପକରଣ ଚଳଣି ଓ ପରମ୍ପରାର ଝଲକ ପ୍ରଦର୍ଶିତ ହେଉଛି । ଆଦିବାସୀ ଉପଯୋଜନା ଅଞ୍ଚଳରେ କାର୍ଯ୍ୟରତ ବିଭିନ୍ନ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଓ ଅଣୁଯୋଜନା ପ୍ରକଳ୍ପ ଗୁଡିକ ଏଠାରେ ଷ୍ଟଲ ନିର୍ମାଣ କାରୀ ଆଦିବାସୀ ସାଂସ୍କୃତିକ ବିଭାବକୁ ପ୍ରଦର୍ଶିତ କରିଛନ୍ତି । ଆଦିବାସୀ ଗାଁ ପରିସରରେ ସଂପୂର୍ଣ୍ଣ ନିଆରା ଢଙ୍ଗରେ କରାଯାଇଛି । ଆଦିବାସୀ ସମ୍ପ୍ରଦାୟ ଦ୍ଵାରା ନିର୍ମିତ ଗୃହପୁଞ୍ଜ ଗୁଡିକର ନିର୍ମାଣ କୌଶଳ ଓ ସାଜ୍ଜସଜ୍ଜା ବାସ୍ତବିକ୍ ଅନନ୍ୟ । ସବୁଠୁ କୌତୁହଳ ର ବିଷୟ ହେଉଛି ମାଟି ନିର୍ମିତ ଘରେ ଉଈ ଦମନର ଉପଚାର । ନିକଟରେ ମିଳୁଥିବା କେତେକ ସାଧାରଣ ଗଛର ପତ୍ର, ଚେର,ଓ ମାଟି ମିଶ୍ରଣରେ ଉଈ ନିରୋଧକ ପ୍ରଲେପ ପ୍ରସ୍ତୁତ କରାଯାଇ ମାଟି ଘରେ ଲିପି ଦେଲା ପରେ ଉଈ ନ ଲାଗିବାର ସୁନ୍ଦର କୌଶଳ ସେମାନଙ୍କ ପାଖରେ ରହିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ନୃତ୍ୟ ସମାରୋହରେ ସ୍ଵାଦ ଥିଲା ବେଶ୍ ଭିନ୍ନ । ପାରମ୍ପାରିକ ଓ ମିଶ୍ରିତ ଆଦିବାସୀ ନୃତ୍ୟର ସମାରୋହ ଦର୍ଶକମାନଙ୍କୁ ଭରପୁର ଆନନ୍ଦ ଦେଇଥିଲା । ପାରମ୍ପାରିକ ନୃତ୍ୟରେ ବରିଷ୍ଠମାନେ ସାମିଲ ହୋଇଥିବା ବେଳେ ଯୁବବର୍ଗ ପାରମ୍ପାରିକ ନୃତ୍ୟ ସହ ଆଧୁନିକତାର ସୁନ୍ଦର ସମନ୍ଵୟ କରାଇ ଦର୍ଶକମାନଙ୍କର ହୃଦୟ ଜିଣିଥିଲେ । ଆଜି ସନ୍ଧ୍ୟାରେ ମୁଣ୍ଡା,ଭୂୟାଁ,ସଉରା,କନ୍ଧ ସମ୍ପ୍ରଦାୟର ଉଭୟ ପାରମ୍ପାରିକ ଓ ମିଶ୍ରିତ ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରକାଶ ଥାଉକି ଆଦିବାସୀ ମେଳାର ଆୟୋଜନର ଉଦ୍ଦେଶ୍ୟ ଜନଜାତି ସମାଜର ସାମାଜିକ ଅବକ୍ଷୟକୁ ରୋକିବା ସଙ୍ଗେସଙ୍ଗେ ଅର୍ଥନୈତିକ ବିକାଶ ଧାରାରେ ସେମାନଙ୍କୁ ସାମିଲ କରିବା । ଓଡିଶାର ୬୨ଟି ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ସରକାରୀ ଯୋଜନାର କାର୍ଯ୍ୟ କାରିତାରେ ଏକ ଝଲକ ଏଠାରେ ପ୍ରଦର୍ଶିତ କରିବା ଏହି ମେଳାର ଅନ୍ୟତମ ଲକ୍ଷ୍ୟ । ଏହିମେଳା ଜାନୁଆରୀ ୨୬ତାରିଖରୁ ଫେବୃଆରୀ ୯ତାରିଖ ଯାଏଁ ୧୫ଦିନ ଧରି ଚାଲିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!
Powered By Indic IME