ଡାକ ବିଭାଗକୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ; ସବୁ ଆଧାର କାର୍ଡ ବାଣ୍ଟ

download (1)ଆଧାରକାର୍ଡ ପାଇବାକୁ ଲୋକେ ବିକଳ ହେଉଥିବା ବେଳେ ଦେଶର ବହୁ ଡାକଘରେ ହଜାରହଜାର ଆଧାରକାର୍ଡ ବାଣ୍ଟ ନ ହୋଇ ପଡିଛି । କର୍ମଚାରୀ ଅଭାବର ଆଳ ଦେଖାଇ ଡାକ ବିଭାଗ ଏଗୁଡ଼ିକୁ ଠିକ୍ ରେ ବାଣ୍ଟୁ ନାହିଁ । ଏହା ଉପରେ ଜାତୀୟ ମାନବାଧିକାର କମିଶନ ଉଦବେଗ ପ୍ରକାଶ କରିଛି । ଖୁବଶୀଘ୍ର ଆଧାରକାର୍ଡ ବଣ୍ଟନ ପାଇଁ ପଦକ୍ଷେପ ନେବାକୁ କମିଶନ ନୂଆଦିଲ୍ଲୀସ୍ଥ ଡାକବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିଧାସଳଖ ସବସିଡି ପାଇଁ ଆଧାରକାର୍ଡ ଜରୁରୀ ହୋଇପଡିଛି । ଆଧାରକାର୍ଡ ପାଇଁ ଫଟୋ ଉଠାଇ ଅନେକ ବ୍ୟକ୍ତି ବର୍ଷାଧିକ କାଳ ଅପେକ୍ଷା କରିଛନ୍ତି । କିନ୍ତୁ ଦେଶରେ ବିଭିନ୍ନ ଡାକଘରେ ଲକ୍ଷଲକ୍ଷ ଆଧାରକାର୍ଡ ବଣ୍ଟା ନହୋଇ ପଡିରହିଛି । ଫଳରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଅଞ୍ଚଳରେ ଆଧାରକାର୍ଡ ନ ଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହା ମାନବାଧିକାରର ଖୋଲା ଉଲ୍ଲଂଘନ । ଏ ନେଇ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ କରିଥିଲେ । ସେ ଦର୍ଶାଇଥିଲେ ଯେ ଆଧାରକାର୍ଡ ବଣ୍ଟନ ଡାକ ବିଭାଗକୁ ଦିଆଯିବା ପରେ ବିଭାଗର କାମ ଦୁଇ ଗୁଣ ବଢିଯାଇଛି । କିନ୍ତୁ ଡାକ କର୍ମଚାରୀ ଅଭାବ ଯୋଗୁ ଆଧାରକାର୍ଡ ଗୁଡିକୁ ବଣ୍ଟା ନ ରହି ବହୁଦିନ ହେଲା ପଡି ରହୁଛି । ଡାକ ବିଭାଗ ଏଥିପାଇଁ ଅଧିକ କର୍ମଚାରୀ ଙ୍କୁ ନିଯୋଜିତ କରୁ ନାହିଁ । ଏହା ଫଳରେ ଲୋକେ ହଇରାଣ ହେଉଛନ୍ତି । ଏହି ଅଭିଯୋଗକୁ ବିଚାର କରି କମିଶନ କେନ୍ଦ୍ରୀୟ ଡାକ ସଚିବଙ୍କୁ ଆଠ ସପ୍ତାହ ମଧ୍ୟରେ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଡି ରହିଥିବା ଆଧାର କାର୍ଡ ବାଣ୍ଟିବାକୁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ଆବେଦନକାରୀଙ୍କୁ ଆଠ ସପ୍ତାହ ରେ ଜଣାଇବାକୁ କମିଶନ କହିଛନ୍ତି ।

Share in top social networks!