ମୁକ୍ତେଶ୍ଵର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଓଡିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

downloadଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ମୁକ୍ତେଶ୍ଵର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତଙ୍କ ଦ୍ଵାରା ସଂଯୋଜିତ ନିତ୍ୟାନନ୍ଦ ମିଶ୍ରଙ୍କ ଦ୍ଵାରା ରଚିତ ମୁକ୍ତେଶ୍ଵର ବନ୍ଦନା “ହେ ଶମ୍ଭୋ ……. । .ଓଡିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ଶାଶ୍ଵତ ଜୋଶୀ ମଙ୍ଗଳା ଚରଣରେ ‘ରାମବିଭୁଂ ନମାମି’ ପରିବେଷଣ କରିଥିଲେ । ଯେଉଁଥିରେ ରାମଚନ୍ଦ୍ର ପିତୃସତ୍ୟ ରକ୍ଷାକରି ୧୪ବର୍ଷର ଅରଣ୍ୟ ନିବାସକୁ ତାଙ୍କ ନୃତ୍ୟ ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ । ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରମେଶ ଚନ୍ଦ୍ର ଦାସ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଇଲିଆନା ସିତାରିଷ୍ଟ । ତାଙ୍କର ଦ୍ଵିତୀୟ କାର୍ଯ୍ୟକ୍ରମ ଥିଲା ଅଭିନୟ ‘କର୍ଣ୍ଣ’ ।. ଯୁଗ୍ମନୃତ୍ୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ସଲାଖା ରାୟ ଓ ଶୋଭା ବିଷ୍ଟ ପ୍ରଥମେ ପରିବେଷଣ କରିଥିଲେ ପୁଷ୍ପାଞ୍ଜଳି,ମାତୃବନ୍ଦନା ଓ ଶ୍ରୀ ଜଗନ୍ନାଥ ସ୍ତୃତି ପରେପରେ ‘ରାମମାଳିକା ପଲ୍ଲବୀ’ ।. ଏହାର ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଶ୍ରୀମତୀ ମାଧବୀ ମୁଦଗଲ ଓ ସଙ୍ଗୀତ ସଂଯୋଜନା କରିଥିଲେ ପଣ୍ଡିତ ମଧୁପ୍ ମୁଦଗଲ । ପାଦ,ଛନ୍ଦ ,ଲୟ ର ଏକ କମନୀୟ ଉପସ୍ଥାପନା ତାଙ୍କ ପରିବେଷଣରେ ଦେଖିବାକୁ ମିଳିଥିଲା । ତାଙ୍କର ଦ୍ଵିତୀୟ ଅର୍ଘ୍ୟ ଥିଲା ବୈଷ୍ଣବୀୟ ଭାବଧାରାର ଅଭିନୟ ‘ପଥ ଛାଡିଦେ ମୁଁ ଯିବୀ ଫୁଲ ତୋଳି’ ।. ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ତ୍ରିଧାରା ଅନୁଷ୍ଠାନର କଳାକାରଙ୍କ ଦ୍ଵାରା ପରିବେଷିତ ଗଙ୍ଗା ତରଙ୍ଗ ଏବଂ ତାଙ୍କର ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ବଜ୍ରକାନ୍ତ ପଲ୍ଲବୀ ଯାହା ରାଗ ବଜ୍ରକାନ୍ତି ଓ ତାଳ ତ୍ରିପୁଟା ଉପରେ ପର୍ଯ୍ୟବେସିତ ଏବଂ ଶେଷରେ ଓଡିଶୀ ନୃତ୍ୟର ଶେଷ ସ୍ତବକ ‘ଗଣନାୟକ ପଞ୍ଚକମ୍’ ପରିବେଷଣ କରିଥିଲେ । ଅନ୍ତିମ କାର୍ଯ୍ୟକ୍ରମ ଟିକୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ଦଳଗତ ନୃତ୍ୟ ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା । ଏହି ଆନ୍ତର୍ଜାତୀୟ ନୃତ୍ୟ ଉତ୍ସବକୁ ଦ୍ଵିତୀୟ ଦିବସ ସୁଦ୍ଧା ୧୮୭୪ ଜଣ ଦେଶୀୟ ଓ ୨୮ ଜଣ ବିଦେଶୀ ଦର୍ଶକ ଉପଭୋଗ କରିଥିଲେ । ସନ୍ଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ.ପ୍ରିୟମ୍ବଦା ମହାନ୍ତି ହେମଜାଦୀ ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଝେଲମ୍ ପାରାଞ୍ଜାପେ ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୋନାଲି ମିଶ୍ର ଓ ଡ.ମୃତ୍ୟୁଞ୍ଜୟ ରଥ ।