ସବୁ ଯୋଗ୍ୟ କଲେଜକୁ ବ୍ଲକ୍ ଗ୍ରାଣ୍ଟ ନିଷ୍ପତ୍ତି

46216
୨୦୧୩ ଜୁନ୍ ସୁଦ୍ଧା ଯୋଗ୍ୟ ବିବେଚିତ ସମସ୍ତ କଲେଜ ଓ ପଦବୀ କୁ ବ୍ଲକ ଗ୍ରାଣ୍ଟ ଅନୁଦାନ ଦିଆଯିବ । ଉଚ୍ଚଶିକ୍ଷା ବିଭାଗ ଏ ସଂକ୍ରାନ୍ତ ପ୍ରକ୍ରିୟା ଶେଷ କରିଛି । ସେହିପରି ୬୬୨ ବର୍ଗ କଲେଜ ଓ ୪୮୮ ବର୍ଗ କଲେଜ ଙ୍କୁ ବି ପୂର୍ଣ୍ଣ ଅନୁଦାନ ପ୍ରଦାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମିଳିଥିବା ସୂଚନା ଅନୁସାରେ,୬୬୨ ବର୍ଗ କଲେଜକୁ ବ୍ଲକ ଗ୍ରାଣ୍ଡ ଅନୁଦାନରୁ ମୁକ୍ତ କରି ପୂର୍ଣ୍ଣ ଅନୁଦାନ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏସଙ୍କ୍ରାନ୍ତ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ଏହି ବର୍ଗ ଅନ୍ତର୍ଭୁକ୍ତ ସମସ୍ତ କଲେଜର ଅଧ୍ୟାପକମାନେ ୯ହଜାର ୩ଶହ ଟଙ୍କା ଦରମା ସହିତ ୪ହଜାର ୬ଶହ ଟଙ୍କାର ଗ୍ରେଡ ପେ ଓ ୪୧୭ ଟଙ୍କାର ଏକ ଇନକ୍ରିମେଣ୍ଟ ପାଇବେ । ଅର୍ଥାତ ଅଧ୍ୟାପକମାନେ ମାସକୁ ୧୪ହଜାର ୩୧୭ ଟଙ୍କା ଦରମା ପାଇବେ । ତେବେ ମହଙ୍ଗା ଭତ୍ତା ଦେବାକୁ ସରକାର ମନା କରିଦେଇଛନ୍ତି । ସେହିପରି ଡେମୋନେଷ୍ଟ୍ରେଟର,ଗ୍ରନ୍ଥାଗାରିକ,ବିପିଏଡ ଡିଗ୍ରୀ ଧାରୀ ପିଇଟିମାନେ ମାସିକ ୧୩ହଜାର ୯୦୫ ଟଙ୍କା ଓ ସିପେଡ୍ ଡିଗ୍ରୀ ଧାରୀ ପିଇଟିମାନେ ୮ହଜାର ୨୪୦ ଟଙ୍କା,କିରାଣୀମାନେ ମାସିକ ୭ହଜାର ୩୧୩ ଟଙ୍କା ଓ ପିଅନମାନେ ୬ହଜାର ୧୫ଟଙ୍କା ଦରମା ପାଇବେ । ଏମାନଙ୍କୁ ମଧ୍ୟ ମହଙ୍ଗା ଭତ୍ତା ମିଳିବନାହିଁ । ୨୦୧୪ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଦରମା ଲାଗୁ କରିବା ଲାଗି ରାଜ୍ୟ ସରକାର ଫାଇଲରେ ସମ୍ମତି ଜଣାଇଛନ୍ତି । ଏବେ ଏହି ବର୍ଗର ଅଧ୍ୟାପକ ମାନେ ୪୦ପ୍ରତି ବ୍ଲକ ଗ୍ରାଣ୍ଡ ହିସାବରେ ମାସିକ ୫ହଜାର ୭୩୩ ଟଙ୍କା ଦରମା ପାଉଛନ୍ତି । ତେବେ ୨୦୧୩ ଜୁନ ପରେ ସରକାର ଆଉ କୌଣସି କଲେଜକୁ ଅନୁଦାନ ଦେବା ନାହିଁ ବୋଲି ଆପତଃ ସ୍ଥିର କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରାୟ ୧୫୦ କଲେଜ ଉପକୃତ ହେବେ ବୋଲି କୁହାଯାଉଛି ।

Share in top social networks!
Powered By Indic IME