ବିଶ୍ୱବିଦ୍ୟାଳୟ ମଞ୍ଜୁର ଆୟୋଗ ଦ୍ଵାରା ୭ଟି ଗୋଷ୍ଠୀ ମହାବିଦ୍ୟାଳୟ ଖୋଲିବାକୁ ଅନୁମତି ପ୍ରଦାନ

46444
ବିଶ୍ୱବିଦ୍ୟାଳୟ ମଞ୍ଜୁର ଆୟୋଗ ଓଡିଶାର କଳାହାଣ୍ଡି,ମୟୂରଭଞ୍ଜ,କେନ୍ଦୁଝର,ଗଞ୍ଜାମ,ସୁନ୍ଦରଗଡ,କୋରାପୁଟ ଓ ବାଲେଶ୍ଵର ଜିଲ୍ଲାରେ ପ୍ରସ୍ତାବିତ ୭ଗୋଟି ଗୋଷ୍ଠୀ ମହାବିଦ୍ୟାଳୟ ଖୋଲିବା ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ରାଜ୍ୟ ସରକାର କର୍ମ ଯୋଗାଣ ସୃଷ୍ଟି ପାଇଁ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ସମ୍ମତି ପ୍ରଦାନ କରିବା ପରେ ଯୁଜିସି ଆନୁଷଙ୍ଗିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । କଳାହାଣ୍ଡିର ଭବାନୀପାଟଣା ମହାବିଦ୍ୟାଳୟ,ମୟୂରଭଞ୍ଜ ଜିଲ୍ଲାର ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ,ବାଲେଶ୍ଵରର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ଓ କେନ୍ଦୁଝର ଧରଣୀଧର ସ୍ଵୟଂଶାସିତ ମହାବିୟଦ୍ୟାଳୟମାନଙ୍କରେ ନୂତନ ଭାବରେ ପର୍ଯ୍ୟଟନ ଓ ଆତିଥ୍ୟ ପ୍ରବନ୍ଧନ ପାଠ୍ୟକ୍ରମରେ ୫୦ ଜଣ ଛାତ୍ରଛାତ୍ରୀ ପାଠ ପଢିବା ନିମନ୍ତେ ସ୍ଥିର କରାଯାଇଥିବା ବେଳେ ଏଥିପାଇଁ ପ୍ରତ୍ୟେକ ଗୋଷ୍ଠୀ ମହାବିଦ୍ୟାଳୟକୁ ଯୁଜିସି ବାର୍ଷିକ ୩୫ ଲକ୍ଷ ଟଙ୍କା ପ୍ରଦାନ କରିବେ । ରାଉରକେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ,ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ସ୍ଵଙ୍ଗଶାସିତ ମହାବିଦ୍ୟାଳୟ ଓ ଜୟପୁର ସ୍ଥିତ ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟମାନଙ୍କରେ ଗୋଷ୍ଠୀ ମହାବିଦ୍ୟାଳୟ ପାଠ୍ୟକ୍ରମ ଅନୁଯାୟୀ ଖୁଚୁରା ବିକ୍ରୟ ପ୍ରବନ୍ଧନ ପାଠ୍ୟକ୍ରମରେ ୫୦ଟି ଲେଖାଏଁ ଆସନ ମଞ୍ଜୁର କରାଯାଇଛି । ଉପରୋକ୍ତ ୩ଗୋଟି କଲେଜକୁ ମଧ୍ୟ ୩୫ଲକ୍ଷ ଟଙ୍କା ଲେଖାଏଁ ବାର୍ଷିକ ଯୁଜିସି ଅନୁଦାନ ମିଳିବ । ଏହି ସମସ୍ତ ଗୋଷ୍ଠୀ ମହାବିଦ୍ୟାଳୟର ସୁପରିଚାଳନା ନିମନ୍ତେ ବିଭିନ୍ନ ଶିଳ୍ପ ସଂସ୍ଥାମାନଙ୍କୁ ସହଯୋଗୀ ରୂପେ ଗ୍ରହଣ କରାଯିବ,ଯଦ୍ୱାରା ଭବିଷ୍ୟତରେ ଉକ୍ତ ସଂସ୍ଥାମାନଙ୍କରେ ସିଧାସଳଖ କର୍ମନିଯୁକ୍ତି ହୋଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗର ଅତିରକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାପ୍ରସାଦ ବେହେରା ସୂଚନା ପ୍ରଦାନ କରିଛନ୍ତି ।

Share in top social networks!