‘ସରଗୀ ଫୁଲ’ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ -୨୦୧୩ ଉଦଘାଟିତ

46644ଆଜି ସ୍ଥାନୀୟ ୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆ ପ୍ରାଙ୍ଗଣରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆନୁକୁଲ୍ୟରେ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ ସରଗିଫୁଲ -୨୦୧୩ ଓ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଶାସନ ସଚିବ (ଅର୍ଥ ବିଭାଗ) ଶ୍ରୀ ଉପେନ୍ଦ୍ର ନାଥ ବେହେରା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାପରତା,ଦକ୍ଷତା,ସାଧୁତା,ନିରପେକ୍ଷତା କୁ ଜୀବନର ନୀତି ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ତ୍ରୈମାସିକ ଶିଶୁ ପତ୍ରିକା “ସରଗିଫୁଲ” ବିଶେଷ ସଂଖ୍ୟାକୁ ଉନ୍ମୋଚନ କରିଥିଲେ । ଛାତ୍ରଛାତ୍ରୀମାନେ ଦେଶର ଭବିଷ୍ୟତ । ଜୀବନରେ ଆସୁଥିବା ସୁଯୋଗକୁ ହାତଛଡା ନ କରିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ସୁଯୋଗକୁ ଅନୁଧ୍ୟାନ କରି ଆଗକୁ ବଢିବାକୁ ହେବ । ପ୍ରକୃତି ସହ ସମନ୍ଵୟ ରକ୍ଷା କରି ପୋଷଣୀୟ ବିକାଶ ଉପରେ ଗୁରୁତ୍ଵ ଦେବା ପାଇଁ ମୁଖ୍ୟ ଅତିଥି ମତ ଦେଇ ଥିଲେ । ‘ସରଗିଫୁଲ’ ମହୋତ୍ସବ ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ଯଥେଷ୍ଟ ସହାୟକ ହେବ । ଏହି ଅବସରରେ ଅନୁସୂଚିତଜାତି ଓ ଜନଜାତି ବିଭାଗର ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ । ପ୍ରକୃତିର ସନ୍ତାନ ଛାତ୍ରଛାତ୍ରୀମାନେ ହେଉଛନ୍ତି ଶାଶ୍ଵତ ଓ ସରଗିଫୁଲ ଭଳି ସୁନ୍ଦର । ସେମାନେ ସେବା ଓ ଉତ୍କର୍ଷର ପ୍ରତୀକ । ଅନୁସୂଚିତଜାତି ଓ ଜନଜାତି ର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ଲୋକଲୋଚନାକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା ଏହିଉ ‘ସରଗିଫୁଲ’ ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ଆୟୋଜିତ କାର୍ମଶାଳା ଓ ପ୍ରତିଯୋଗୀତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଉତ୍ସାହକୁ ଦ୍ଵିଗୁଣିତ କରିବ । ଏହି ମହୋତ୍ସବରେ ଧନ୍ୟବାଦ ଦେବା ଅବାସରରେ ବିଭାଗୀୟ ନିର୍ଦ୍ଦେଶକ (ଅନୁସୂଚିତ ଜାତି ଓ ଜନଜାତି ) ଅଖିଳ ବିହାରୀ ଓତା ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ମାନେ ନିଜନିଜ ମଧ୍ୟରେ ଭାବ ବିନିମୟ କରିବା ସହିତ କର୍ମଶାଳାରୁ ଶିକ୍ଷା ଲାଭ କରି ଯେଉଁ ଅନୁଭୂତି ଗ୍ରହଣ କରିବେ,ତାହାକୁ ନିଜ ବିଦ୍ୟାଳୟ ତଥା ଆଖପାଖ ବିଦ୍ୟାଳୟକୁ ମଧ୍ୟ ସମ୍ପ୍ରସାରିତ ଓ ଅଧିକ ବ୍ୟାପକ କରି ଦେଶର ଟେକ ରଖିବେ ବୋଲି କହିଥିଲେ । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର କେବଳ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ସ୍କୁଲ,ସେବାଶ୍ରମ,ଉଚ୍ଚବିଦ୍ୟାଳୟ,ଆବାସିକ ବିଦ୍ୟାଳୟ,ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷାପୁଞ୍ଜରେ ୫ ମରୁ ୧୦ ଶ୍ରେଣୀରେ ପଢୁଥିବା ୭୫୦ ଜଣ ଛାତ୍ରଛାତ୍ରୀ ୧୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଗତ ନଭେମ୍ବର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇ କେବଳ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରାଯାଇଥିଲା । ଶ୍ରେଷ୍ଠ ବିଜେତାମାନେ ଏହି ରାଜ୍ୟସ୍ତରୀୟ ‘ସରଗିଫୁଲ’ ମହୋତ୍ସବରେ ଯୋଗଦାନ କରିଛନ୍ତି । ‘ସରଗିଫୁଲ-୨୦୧୩’ ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୯ଟାରୁ ୧୨.୩୦ ପର୍ଯ୍ୟନ୍ତ ଓଡିଶୀନୃତ୍ୟ,ଥିଏଟର,ବିଜ୍ଞାନ ଖେଳ,ସୃଜନାତ୍ମକ ଖେଳ,ଆଦରକାରୀରୁ ଦରକାରୀ ଜିନିଷ ତିଆରି,ପେପର କ୍ରାଫ୍ଟ,ମେଜିକ ପପେଟ୍ରୀ,ଶିଶୁ ରିପୋର୍ଟର,ଆର୍ଟ ଓ ପେଣ୍ଟିଂ,ସୃଜନାତ୍ମକ ରଚନା,କ୍ଲେ ମଡେଲିଙ୍ଗ,ଗଣିତ ଖେଳ,ଫଟୋଗ୍ରାଫି,ଫଟୋ ଏଡିଟିଂ,ଫିଲ୍ମ ପ୍ରସ୍ତୁତି,instrumental ମ୍ୟୁଜିକ୍,କ୍ରିଏଟିଭ ଡ୍ୟାନ୍ସ, ଆଦି ୧୮ଟି ବିଷୟରେ ସିନିୟର ଓ ଜୁନିୟର ବିଭାଗ ପାଇଁ ୨୬ ଟି କର୍ମଶାଳା ଆୟୋଜନ କରାଯାଇଛି । ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ପ୍ରକାଶ ଥାଉକି,’ସରଗିଫୁଲ ଛାତ୍ରଛାତ୍ରୀ ନହୋତ୍ସବ- ୨୦୧୦’ ମସିହାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ଆୟୋଜିତ ହୋଇଥିଲା । ୨୦୧୩ ବିଜ୍ଞାନ ପ୍ରଦର୍ଶନୀର ଶୀର୍ଷକ ହେଉଛି ‘ରିନ୍ୟୁଏବୁଲ୍ ଏନର୍ଜି’ । ‘ସରଗିଫୁଲ-୨୦୧୩’ ଉତ୍ସବର ସମସ୍ତ ଷ୍ଟଲ ଗୁଡିକୁ ଜଙ୍ଗଲ ପରିବେଶ ଭଳି ସୁସଜ୍ଜିତ କରାଯାଇଛି । ଏହି ମହୋତ୍ସବ ୩ ଦିନ ଧରି ଚାଲିବ ବୋଲି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!