ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଶିଶୁକନ୍ୟା ହାର ହ୍ରାସ ଉଦବେଗଜନକ !

download (1)ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଶୁକନ୍ୟା ହାର ହ୍ରାସ ପାଇଛି। ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ଏହି ହାର ବୃଦ୍ଧି ପାଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଏହି ହ୍ରାସ ପାଉଥିବା ଉଦବେଗଜନକ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି । ଆଜି ଭୁବନେଶ୍ଵର ଠାରେ ପି.ସି ଏବଂ ପିଏନଡ଼ିଟି ଆଇନ (ଗର୍ଭସ୍ତ ଶିଶୁ ଲିଙ୍ଗ ନିରୂପଣ) କାର୍ଯ୍ୟକାରିତା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକଜିକ୍ୟୁଟିଭ ମାଜିଷ୍ଟେଟ ମାନଙ୍କ ପାଇଁ ଆୟୋଜିତ କର୍ମଶାଳାକୁ ଉଦଘାଟନ କରି ସ୍ଵାସ୍ଥ୍ୟ ମନ୍ତ୍ରୀ ଡାଃ ରାଉତ କହିଛନ୍ତି ଯେ ଶିଶୁ କନ୍ୟା ହାର ହ୍ରାସ ଏକ ଉଦବେଗଜନକ ସ୍ଥିତି। ସାମାଜିକ ସନ୍ତୁଳନ କ୍ଷେତ୍ରରେ ଏକ ଅସ୍ଵାଭାବିକ ଅବସ୍ଥା । ୧୯୮୧ମସିହାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି । ତେବେ ପରିସ୍ଥିତିର ମୁକାବେଲା ନିମନ୍ତେ ରାଜ୍ୟସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ପିସି ଏବଂ ପିଏନଡ଼ିଟି ଆଇନ କାର୍ଯ୍ୟକାରୀ କରାଯାଇଛି । ଏହି ଆଇନର କାର୍ଯ୍ୟକାରିତା ପାଇଁ ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏକ ସ୍ଵତନ୍ତ୍ର ସେଲ ଖୋଲାଯାଇ ମନିଟରିଙ୍ଗ କରାଯାଉଛି । ହେଲେ ତୃଣମୂଳ ସ୍ତରରେ ଏହି ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଦିଗରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟମାନଙ୍କ ଗୁରୁ ଦାୟିତ୍ଵ ରହିଛି ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ଡାଃ ରାଉତ କହିଛନ୍ତି । ଏହି ଆଇନ ଖିଲାଫକାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ସେମାନଙ୍କ ବିରୁଦ୍ଧରେ ମାମଲା ଦରଜ କରିବା ,କନ୍ୟାଭ୍ରୁଣ ନଷ୍ଟ ନକରିବା ପାଇଁ ସଚେତନତା ସୃଷ୍ଟି କରିବା ଆଦି ଦିଗରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ମାନେ ସ୍ଵତନ୍ତ୍ର ଭାବେ ଦ୍ରୁଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ । ୨୦୧୧ ଜନଗଣନା ଅନୁଯାୟୀ ସର୍ବ ଭାରତୀୟ ସ୍ତରରେ ପ୍ରତି ଏକ ହଜାର ପୁଅ ଛୁଆଙ୍କ କ୍ଷେତ୍ରରେ ୯୧୯ ଝିଅ ଛୁଆ ଥିବା ବେଳେ ଓଡିଶାରେ ଏହା ୯୪୧ । .ତେବେ ୨୦୦୧ ଜନଗଣନା ଅନୁଯାୟୀ ଓଡିଶାରେ ଏହା ୯୫୩ ଥିଲା । ଓଡିଶାର ନୟାଗଡ,ଢେଙ୍କାନାଳ,ଓ ଅନୁଗୁଳ ଜିଲ୍ଲାରେ କନ୍ୟା ଶିଶୁ ହାର ହ୍ରାସ ଉଦବେଗଜନକ । ୨୦୦୧ ଜନଗଣନା ଅନୁଯାୟୀ ଏହି ହାର ନୟାଗଡରେ ୯୦୪,ଢେଙ୍କାନାଳରେ ୯୨୫,ଏବଂ ଅନୁଗୁଳ ଜିଲ୍ଲାରେ ୯୩୭ ଥିବା ବେଳେ ୨୦୧୧ ରେ ଏହା ଯଥାକ୍ରମେ ୮୫୫,୮୭୭ ଓ ୮୮୯ ହୋଇଛି । ମୟୂରଭଞ୍ଜ,ମାଲକାନଗିରି,ବୌଦ୍ଧ,କେନ୍ଦୁଝର ,ଗଜପତି,ନୂଆପଡା,ପୁରୀ ଓ ଜଗତସିଂପୁର ଆଦି ଜିଲ୍ଲା ମାନଙ୍କରେ ଏହି ହାର ବୃଦ୍ଧି ପାଇଛି । ଜାତୀୟ ସ୍ଵାସ୍ଥ୍ୟ ମିସନ ନିର୍ଦ୍ଦେଶକ ରୂପା ମିଶ୍ର ତାଙ୍କ ଭାଷଣରେ ରାଜ୍ୟରେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ରାଜ୍ୟସରକାରଙ୍କସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ଵାସ୍ଥ୍ୟ ମିସନ ତରଫରୁ ରାଜ୍ୟରେ ମା ଓ ଶିଶୁ ମାନଙ୍କର ସ୍ଵାସ୍ଥ୍ୟର ଯତ୍ନ,ଶିଶୁ ପ୍ରଜନନ,ପୁଷ୍ଟିହୀନତା,ଆଦି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କନ୍ୟା ଶିଶୁ ମାନଙ୍କ ସୁରକ୍ଷା ଦିଗରେ ରାଜସ୍ୱ ଏବଂ ପଞ୍ଚାୟତିରାଜ ବିଭାଗର ମହତ୍ଵପୂର୍ଣ୍ଣ ଭୂମିକା ରହିଛି ।

Share in top social networks!