ଫୁଡ୍ କୋର୍ଟ : ଅଷ୍ଟମ ତୋଷାଳି ମେଳାର ବିଶେଷ ଆକର୍ଷଣ

download (2)ଅଷ୍ଟମ ତୋଷାଳି ଜାତୀୟ କ୍ରାଫ୍ଟ ମେଳା ସ୍ଥାନୀୟ ଜନତା ମଇଦାନରେ ଗତ ୧୫ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୭ ତାରିଖ ପର୍ଯ୍ଯନ୍ତ ଚାଲୁଅଛି । ଓଡିଶା ସମେତ ଦେଶର ବିଭିନ୍ନ ଅଞ୍ଚଳର ବିପୁଳ ହସ୍ତତନ୍ତ,ହସ୍ତଶିଳ୍ପ,ସାମଗ୍ରୀ ମେଳାରେ ଉପଲବ୍ଧ ହେଉଥିବାରୁ ଗ୍ରାହକମାନଙ୍କ ପାଇଁ ଏହି ମେଳା ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏତଦବ୍ୟତୀତ ପ୍ରତ୍ୟେକ ସନ୍ଧ୍ୟାରେ ଦର୍ଶକମାନଙ୍କ ରୁଚି ଓ ପସନ୍ଦ ମୁତାବକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ବେସ୍ ଆକର୍ଷଣୀୟ ହେଉଛି । ଚଳିତ ବର୍ଷ ତୋଷାଳି ମେଲାରେ ଆୟୋଜିତ ଫୁଡ୍ କୋର୍ଟ ଗ୍ରାହକମାନଙ୍କୁ ବିଶେଷ ଆକର୍ଷିତ କରିବା ପରିଲକ୍ଷିତ ହେଉଛି । କେବଳ ପାରମ୍ପରିକ ଓଡିଆ ଖାଦ୍ୟ ନୁହେଁ ଅନ୍ୟାନ୍ୟ ପ୍ରାଦେଶିକ ଖାଦ୍ୟ ସ୍ଵାଦ ନେବାକୁ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରାହ୍ୟ ଦେଖାଦେଇଛି । ଫୁଡ୍ କୋର୍ଟରେ ସମୁଦାଯ ୩୦ ଟି ଷ୍ଟଲ ଖୋଲାଯାଇଛି । ଯେଉଁଥିରେ ଉଭୟ ଆମିଷ ଓ ନିରାମିଷ ବିଭିନ୍ନ ପ୍ରକାର ସୁସ୍ଵାଦ ଭୋଜନ ଉପଲବ୍ଧ ହେଉଛି । ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ,ଓମଫେଡ୍ ,ନିମାପଡା ସୁଇଟ୍ସ,ହୋଟେଲ ସ୍ୟାଣ୍ଡି ଟାୱାର,ସୂର୍ଯ୍ୟଅଂଶ,ରାଇସ୍ ବାଓଲ,ବିଠଲ କାମଥ,ଡାଲମା,ସବୱେ,ତନ୍ଦୁର ଡିଲାଇଟ୍ସ,ଆପନୋ ରାଜସ୍ଥାନ ପ୍ରଭୃତି ନମିଦାମୀ ହୋଟେଲ,ଏଠାରେ ନିଜନିଜ ଷ୍ଟଲ ଖୋଲିଛନ୍ତି । ରାଜସ୍ଥାନୀ ଡାଲ୍,ପ୍ୟାଜ୍ କଚେଡି,ମଟନଚପ୍, ତନ୍ଦୁର ଚିକେନ୍,ବିଭିନ୍ନ ପ୍ରକାର ବିରିଆନୀ,ମୁଢିମାଂସ,ଚକୁଳି ମାଂସ,ମଇଶୁର ଦୋସା,ଏବଂ ସରପୁଳୀ,ଜିଲାପି ପ୍ରଭୃତି ଖାଦ୍ୟର ପ୍ରବଳ ଚାହିଦା ଥିବା ଦେଖାଯାଉଛି । ନିରାମିଷ ଖାଦ୍ୟର ଦାମ ୫ ଟଙ୍କାରୁ ଆରମ୍ଭ ୧୫୦ଟଙ୍କା ଥିବାବେଳେ ଆମିଷ ଖାଦ୍ୟର ଦାମ ୩୦ ଟଙ୍କାରୁ ଆରମ୍ଭ ହୋଇ ୨୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଫୁର୍ଡକୋର୍ଟ ର ପାରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟର ମାନ ବଜାୟ ରଖିବା ପାଇଁ ବିଭାଗ ତରଫରୁ ବିଶେଷ ଧ୍ୟାନ ଦିଆଯାଇଅଛି । ଗତକାଲି ସୁଦ୍ଧା ଫୁର୍ଡକୋର୍ଟରେ ୨୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟବସାୟ ହୋଇଥିବା ସୂଚନା ମିଳିଛି । ୨୭ ତାରିଖ ପର୍ଯ୍ୟନ୍ତ ମେଳା ଚାଲୁଥିବାରୁ ଆଗାମୀ ଦିନରେ ଫୁର୍ଡକୋର୍ଟରୁ ପ୍ରାୟ ୫୦ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କାର ବ୍ୟବସାୟ ହେବାର ଆଶା ଅଛି ବୋଲି ତୋଷାଳି ମେଳାର ଚିଫ୍ ନୋଡାଲ ଅଫିସର ରାଜା ପାରିଜା ସୂଚନା ଦେଇଛନ୍ତି । ହସ୍ତତନ୍ତ,ହସ୍ତଶିଳ୍ପ,ସ୍ଵାଦିଷ୍ଟ ଖାଦ୍ୟ,ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ,ଏବଂ ମେଳା ପରିସର ର ପାରମ୍ପରିକ ସାଜସଜ୍ଜା ଲୋକମାନଙ୍କୁ ବିଶେଷ ଆକ୍ରୁଷ୍ଟ କରିଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସୁଦ୍ଧା ପ୍ରାୟ ୬.୭୧ ଲକ୍ଷ ଲୋକ ମେଳାପରିଦର୍ଶନ କରିଥିବାବେଳେ ମୋଟ ୩କୋଟି ୧୭ ଲକ୍ଷ ଟଙ୍କାର କାରବାର ହୋଇଛି । ଆଜି ସନ୍ଧ୍ୟାରେ ଭଜନ ସମ୍ରାଟ ଅନୁପ ଜଲୋଟା ଙ୍କ ଭକ୍ତି ସଂଗୀତରେ ଶ୍ରୋତାମାନେ ଭାବବିଭୋର ହୋଇଯାଇଥିଲେ ।

Share in top social networks!