ଜଗନ୍ନାଥଙ୍କର ନବକଳେବର ଉତ୍ସବ ପାଇଁ ରାଜସ୍ତରୀୟ ପ୍ରସ୍ତୁତି ବୈଠକ

45840ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କର ନବକଳେବର ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଶାଚିଆବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିପିନ୍ ସାକ୍ସେନା ଏବଂ ମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢି ଆଲୋଚନା ପାଇଁ ବିଭିନ୍ନ ପ୍ରସ୍ତାବ ଉଆସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ପୁରୀକୁ ଯୋଗାଯୋଗ କରୁଥିବା ରାସ୍ତାଘାଟ,ରେଳରାସ୍ତା ଓ ପୋଲ ଆଦିର ପ୍ରଶସ୍ତିକରଣ,ପୁରୀ ସହର ମଧ୍ୟରେ ଥିବା ଗମନା ଗମନ ପାଇଁ ରାସ୍ତା ସୁବିଧା,ଆଇନ୍ ଶୃଙ୍ଖଳା,ନୂତନ ସବ୍ ଷ୍ଟେସନ ପ୍ରତିଷ୍ଠା,ସ୍ୱାସ୍ଥ୍ୟ ବ୍ୟବସ୍ଥା ,ପାନୀୟ ଜଳ ଓ ପରିମଳ ,ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଦରେ ଥିବା ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ,ପୁରୀ ସହର ମଧ୍ୟରେ ଥିବା ପାର୍କିଂ ସ୍ଥାନ ,ନୁତନ ବସ୍ ଷ୍ଟାଣ୍ଡ,ଶ୍ରୀ ମନ୍ଦିରର ମରାମତି କାର୍ଯ୍ୟ ନବକଳେବର -୨୦୧୫ ରେ ଅଧିକ ଯାତ୍ରୀ ରହିବା ପାଇଁ ଅସ୍ଥାୟୀ ଆବାସ ଆଦି ବିଷୟରେ ଆଲୋଚନା ହୋଇଥିଲା । ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ବିରପାଟପୁର-ପୁରୀ,ଗୋପ –ବାଲିଘାଇ(ପୁରୀ-କୋଣାର୍କ),ଫୁଲନଖରା-ଗୋପ,ଖୋର୍ଦ୍ଧା-ପିପିଲି ଆଦି ରାସ୍ତା ନିର୍ମାଣ ଜୁନ୍,୨୦୧୪ ସୁଦ୍ଧା ଶେଷ କରାଯିବ । ସେହିପରି ବିରହରେକୃଷ୍ଣପୁର-ପୁରୀ,ମାଳତୀପାଟପୁର-ପୁରୀ,ପୁରୀ-ସାତପଡା ଆଦି ରାସ୍ତା ସହ ସାନ ଗଙ୍ଗୁଆ ଓ ବଡ ଗଙ୍ଗୁଆ ଆଦି ପୋଲକୁ ମଧ୍ୟ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରାଯିବ ବୋଲି ବୈଠକରେ ଉପସ୍ଥିତ ରହି ପୂର୍ତ୍ତ ସଚିବ ଶ୍ରୀ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଥିଲେ । ପୁରୀ ସହର ମଧ୍ୟରେ ଗମନାଗମନ ଯୋଜନା ଅନୁଯାୟୀ ସମସ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ମାଧ୍ୟମରେ ମରାମତି ଓ ପ୍ରଶସ୍ତିକରଣ କରାଯିବ । ଏଥି ନିମନ୍ତ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉନ୍ନୟନ କମିଶନର ଶ୍ରୀ ଆଇ.ଶ୍ରୀନିବାସ ପୁରୀ ପୌରପରିଷଦ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ଜାତୀୟ ରାଜପଥ-୨୦୩ କଦରେ ପାର୍କିଂ ନିମନ୍ତେ ୧୪ଟି ସ୍ଥାନ ଏବଂ ପୁରୀ ସହର ମଧ୍ୟରେ ପାର୍କିଂ ପାଇଁ ୮ ଟି ସ୍ଥାନ ଚିହ୍ନଟ କରାଯାଇଛି । ଏହି ସମସ୍ତ ସ୍ଥାନକୁ ପାର୍କିଂ ସ୍ଥାନ ଉପଯୋଗୀ କରାଇବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ସହର ମଧ୍ୟରେ ପାର୍କିଂ ପାଇଁ ସ୍ଥିର କରାଯାଇଥିବା ଜାଗାକୁ ସଠିକ୍ ଭାବେ ଚିହ୍ନଟ କରି ଏହାର ସୀମା ନିର୍ଦ୍ଧାରଣ କରି ରଖିବା ପାଇଁ ଅତିରିକ୍ତ ଶାସନ ସଚିବ ଡଃ ତାରାଦତ୍ତ କେନ୍ଦ୍ରାଞ୍ଚଳ ଆର.ଡି.ସି ଙ୍କୁ ପରାମର୍ଶ ଦେଇଛନ୍ତି । ଜଟଣୀ-ପୁରୀ ଓ ଡେଲାଙ୍ଗ-ସାକ୍ଷୀଗୋପାଳ ରେଳ ଲାଇନ୍ ର ପ୍ରଶସ୍ତିକରଣ,ପୁରୀ ପ୍ଲାଟଫର୍ମ ର ନବୀକରଣ,ଏବଂ ରେଳବାଇ ପୋଲର ନିର୍ମାଣ କାର୍ଯ୍ୟକୁ ଡିସେମ୍ବର ୨୦୧୪ ସୁଦ୍ଧା ସାରିବା ପାଇଁ ରେଳବାଇ କର୍ତ୍ତୃପକ୍ଷଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ରାଜ୍ୟସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସହଯୋଗ ଦିଆଯିବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ବିଦ୍ୟୁତ ଯୋଗାଣ ବ୍ୟବସ୍ଥାର ନବୀକରଣ ପାଇଁ ନୂତନ ୨୨୦/୧୩୨କେଭି ଗ୍ରୀଡ୍,ପୁରୀ,କୋଣାର୍କ ଓ ଶାମୁକା ବିଚ୍ ଠାରେ ସବଷ୍ଟେସନ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜମିଜୋଗାଣ ଏବଂ ଶକ୍ତି ବିଭାଗକୁ ଜମି ହସ୍ତାନ୍ତର କାର୍ଯ୍ୟକୁ ଗୁରୁତ୍ଵ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ବିଶୃଙ୍ଖଳାକାରୀ
ଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଏପରିକି ଆବଶ୍ୟକ ହେଲେ ଜାତୀୟ ଆଇନ୍ ଲାଗୁ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ନବେକଳେବର ପାଇଁ ପୁରୀ ଓ ଆଖପାଖ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ର ବିକାଶ କାର୍ଯ୍ୟ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ୬ ଶଯ୍ୟା ବିଶିଷ୍ଟ ଆଇସିଇୟୁ ନିର୍ମାଣ ସରିଛି । ପୁରୀ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା,ଟ୍ରାଉମା କେନ୍ଦ୍ର,କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନବୀକରଣ ଆଦି କାର୍ଯ୍ୟକୁ ଡିସେମ୍ବର-୨୦୧୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରାୟ ୫୦୦ ପର୍ଯ୍ୟନ୍ତ ଲୋକଙ୍କୁ ଏକ ସମୟରେ ଜରୁରୀକାଳିନ ଚିକିତ୍ସା ଯୋଗାଇବା ନିମନ୍ତେ ସୁବିଧା ସୃଷ୍ଟି କରିବାପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଶୃଙ୍ଖଳା ଓ ନିରାପତ୍ତା ନିମନ୍ତେ ସି.ସି.ଟି.ଭି ଲଗାଇବା,ୱାଚ ଟାୱାର ନିର୍ମାଣ କରିବା,ଅସୁରକ୍ଷିତ କୋଠାବାଡି କୁ ଭାଙ୍ଗିଦେବା,ସେବାୟତ ମାନଙ୍କୁ ପରିଚୟପତ୍ର ଦେବା ଏବଂ ଭିଡ ପରିଚାଳନା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପୁରୀ ଜିଲ୍ଲା ଏସ୍.ପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନବକଳେବର ସମୟରେ ଅଧିକ ଯାତ୍ରୀ ଓ ଭକ୍ତମାନଙ୍କ ନିମନ୍ତେ ଅସ୍ଥାୟୀ ଟେଣ୍ଟ ଆବାସ ସରକାରୀ ଓ ଘରୋଇ ସହଭାଗିତା ଭିତ୍ତିରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କେନ୍ଦ୍ରାଞ୍ଚଳ ରାଜସ୍ୱ କମିସନରଙ୍କୁ ପରାମର୍ଶ ଦେଇଛନ୍ତି । ଚଳିତ ବର୍ଷ ରଥଯାତ୍ରା ସମୟରେ ୨୦ରୁ୨୫ହଜାର ଲୋକଙ୍କ ନିମନ୍ତେ ୧୦ ଦିନ ପାଇଁ ଏହିପରି ଅସ୍ଥାୟୀ ଆବାସ ପରୀକ୍ଷାମୂଳକ ଭାବେ ନିର୍ମାଣ କରାଯିବ । ଏହା ସଫଳ ହେଲେ ନବକଳେବର ବର୍ଷକୁ ଏହାକୁ ବ୍ୟାପକ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ମନ୍ଦିରର ଜଗମୋହନ,ସିଂହ ଦ୍ଵାରା ଓ ଅନ୍ୟାନ୍ୟ ସ୍ଥାନରେ ଆବଶ୍ୟକଥିବା ମରାମତି କାର୍ଯ୍ୟକୁ ସଠିକ ଭାବରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନ୍ଦିରର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରର ବିଭିନ୍ନ ସ୍ଥାନରେ ତନଖି ପାଇଁ ଏକ ଆନ୍ତବିଭାଗୀୟ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ପୁରୀଠାରେ ଏକ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ସ୍ଵୀକୃତୀ ଦେଇଛନ୍ତି ବୋଲି କେନ୍ଦ୍ରୀୟ ଆରଡ଼ି ଶ୍ରୀ ପାଢି ଜଣାଇଥିଲେ । ନବେକଳେବର ସହିତ ସମ୍ପୃକ୍ତ ଦେଉଳ ମଠର ନବୀକରଣ ସହ ନୀଳାଚଳ ଉପବନ ଓ କୋଇଲି ବୈକୁଣ୍ଠ ର ବିକାଶ କରାଯିବ ବୋଲି ମନ୍ଦିର ପ୍ରଶାସକ ଶ୍ରୀ ପାଢି ସୂଚନା ଦେଇଛନ୍ତି । ନବକଳେବର ସମୟରେ ମହାପ୍ରଭୁଙ୍କର ପୂଜା-ନୀତି ଓ ଅନ୍ୟାନ୍ୟ ସେବା ଛତିଶା ନିଯୋଗଙ୍କ ସହ ଆଲୋଚନା କରାଯାଇ ପରମ୍ପରା ଅନୁସାରେ କରାଯିବ ବୋଲି ମଧ୍ୟ ଡଃ ପାଢି ପ୍ରକାଶ କରିଛନ୍ତି । ନବକଳେବର ସମୟରେ ସୂଚନା ପ୍ରସାରଣ ନିମନ୍ତେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କୁ ପରାମର୍ଶ ଦିଆଯାଇଛି । ଉକ୍ତ ବୈଠକରେ ଉନ୍ନୟନ କମିଶନର ଶ୍ରୀ ଆଇ .ଶ୍ରୀନିବାସ ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥବିଭାଗ ଶ୍ରୀ ଉପେନ୍ଦ୍ର ନାଥ ବେହେରା,ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଡଃ ତାରାଦତ୍ତ ଙ୍କ ସମେତ ବିଭିନ୍ନ ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share in top social networks!