ଭାରତୀୟ ରେଡକ୍ରସ ସୋସାଇଟି ତରଫରୁ ସ୍ଵେଚ୍ଛାସେବୀ ସୃଷ୍ଟି କରିବା ନିମନ୍ତେ ତାଲିମ ଶିବିର ଉଦଯାପିତ

DSC_0102ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟଶାଖାର ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ଜିଲ୍ଲା ରେଡକ୍ରସ ଶାଖାକୁ ସୁଦୃଢ କରିବା ଏବଂ ସ୍ଵିକୃତୀ ପ୍ରାପ୍ତ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ସ୍ଵେଚ୍ଛାସେବି ସୃଷ୍ଟି କରିବା ନିମନ୍ତେ ଏକ ଦୁଇଦିନିଆ ତାଲିମ ଶିବିର ସ୍ଥାନୀୟ ରେଡକ୍ରସ ଭବନ,ଭୁବନେଶ୍ଵରଠାରେ ଆୟୋଜନ ହୋଇଯାଇଛି । ଭାରତୀୟ ରେଡକ୍ରସ ସୋସାଇଟି,ଜାତୀୟ ଶାଖା,ନୂଆଦିଲ୍ଲୀଙ୍କ ସହାୟତାରେ ଓଡିଶାରେ ଏହି ପ୍ରକାରର କାର୍ଯ୍ୟକ୍ରମକୁ ପ୍ରଥମ ଥର ଭାବରେ ଆରମ୍ଭ କରାଯାଇଛି । ବିପର୍ଯ୍ୟୟ ସମୟରେ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ବିଷୟରେ ରେଡକ୍ରସର ସ୍ଵେଚ୍ଛାସେବୀ ଓ ଗୋଷ୍ଠୀମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ସ୍ଵିକୃତିପ୍ରାପ୍ତ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ଦଳ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏତଦବ୍ୟତୀତ ଏହି ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ ମାନେ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ । ଏହି ତାଲିମ କାର୍ଯ୍ୟକୁ ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜ୍ୟଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୩୦ ରୁ ଊର୍ଦ୍ଧ୍ଵ ଯୁବ ରେଡକ୍ରସ ପରାମର୍ଶ ଦାତା/ଜୁନିଅର ରେଡକ୍ରସ ପରାମର୍ଶଦାତା/ରେଡକ୍ରସ ସ୍ଵେଚ୍ଛାସେବୀ ମାନବେ ଅଂଶଗ୍ରହଣ କରିଥିଲେ । ଉକ୍ତ ଦୁଇଦିବସୀୟ ତାଲିମ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ବିପର୍ଯ୍ୟୟ,ପ୍ରଥମ ଡାକ୍ତରୀ ସହାୟତା,ପ୍ରାଥମିକ ଚିକିତ୍ସା,ଆଘାତ ପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ,କରୁରୀକାଳୀନ ପରିସ୍ଥିତିରେ ଜଳ ଓ ପରିମଳ ବ୍ୟବସ୍ଥା ,ଖାଦ୍ୟ ନିରାପତ୍ତା,ନିଖୋଜ ବ୍ୟକ୍ତିର ତାର ପରିବାର ସହ ସମ୍ପର୍କ ସ୍ଥାପନ ଓ ଶବସଂସ୍କାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଡ.ଯଶୋବନ୍ତ ଜେନା ଓ ଡଃ ସତ୍ୟ ନାରାୟଣ ହୋତାଙ୍କ ଦ୍ଵାରା ଶିକ୍ଷାଦାନ କରାଯାଇଥିଲା । ଯୁବରେଡକ୍ରସ ଅଧିକାରୀ ଡଃ ସରିତା ସୁପକାର ରେଡକ୍ରସ ଇତିହାସ,ମୌଳିକ ନୀତି ଓ ରେଡକ୍ରସର ଚିହ୍ନ ବିଷୟରେ ସ୍ଵେଚ୍ଛାସେବୀ ମାନଙ୍କୁ ଅବଗତ କରାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ସୁବାର୍ତ୍ତା ଓଡିଆ ସମ୍ବାଦପତ୍ରର ସଂପାଦକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ ତାଲିମପ୍ରାପ୍ତ ସ୍ଵେଚ୍ଛାସେବୀଙ୍କ ମାଧ୍ୟମରେ ସମାଜର ସମସ୍ତ ଅବହେଳିତ,ଦୁଃଖୀ,ଆର୍ତ୍ତ ଜନତାଙ୍କ ସହାୟତା କରିବା ନିମନ୍ତେ ପ୍ରତିଶ୍ରୁତି ବଦ୍ଧ ହେବା ନିମନ୍ତେ ଆହ୍ଵାନ ଜଣାଇଥିଲେ । ଭାରତୀୟ ରେଡକ୍ରସ ସୋସାଇଟି,ଓଡିଶା ରାଜୟା ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ପୌରହିତ୍ୟ କରି ସ୍ଵାଗତ ଭାଷଣ ଏବଂ ଯୁବ ରେଡକ୍ରସ ଅଧିକାରୀ ଡଃ ସରିତା ସୁପକାର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷଭାଗରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମସ୍ତ ସ୍ଵେଚ୍ଛାସେବୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Share in top social networks!
Powered By Indic IME