ଜାତୀୟ ଜନଜାତି କ୍ରାଫ୍ଟମେଳା ଉଦଘାଟିତ

46060ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ,ଭୁବନେଶ୍ଵର ପରିସରରେ ଜାତୀୟ ଜନଜାତି କ୍ରାଫ୍ଟମେଳା ଉଦଘାଟିତ ହୋଇଛି । ଏହି ମେଳାକୁ ଆନୁଷ୍ଠାନିକ ଭାବେ ଓଡିଶାର ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଆଇ.ଶ୍ରୀନିବାସ ଉଦଘାଟନ କରିଛନ୍ତି । ଏହି କ୍ରାଫ୍ଟମେଳାରେ ତାମିଲନାଡ଼ୁର ସପ କାରିଗରୀ,ମଧ୍ୟପ୍ରଦେଶର ଓରାଓଁ,ଗଣ୍ଡ,ଭାଲ୍ ଚିତ୍ର କଳା ତଥା ଗଣ୍ଡ କାଷ୍ଠ ଶିଳ୍ପ,ଲୌହ କାରିଗରୀ ସାଙ୍ଗକୁ ଛତିଶଗଡର ବାଉଁଶଶିଳ୍ପ,ମହାରଷ୍ଟ୍ରର ୱାର୍ଲି ଚିତ୍ରକଳା,ପଶ୍ଚିମବଙ୍ଗର ଚିତ୍ରପଟ୍ଟ ଏବଂ ପାରମ୍ପରିକ ଡୋଲି,ଆନ୍ଧ୍ରପ୍ରଦେଶର କଣ୍ଢେଇ,ମଣିପୁରର କାଷ୍ଠ ଓ ବାଉଁଶ କଳା ତଥା ବସ୍ତ୍ରକଳା,ଆସାମର ଦେଉରୀ,ମିସିଂ ବସ୍ତ୍ରକଳା ଏବଂ ବାଉଁଶ କାମ,ବିହାରର ମଧୁବନୀ ଏବଂ କିନାଲ ହସ୍ତକଳା,କର୍ଣ୍ଣାଟକର କଣ୍ଢେଇ,ଓଡିଶାର ସଉରା ଚିତ୍ରକଳା,ଡ଼ଙ୍ଗରିଆ କନ୍ଧଙ୍କ ସୂଚିକର୍ମ,ବଣ୍ଡମାନଙ୍କ ର ହସ୍ତତନ୍ତ,ଭୋଟଡାମାନଙ୍କର ଧାନରୁ ପ୍ରସ୍ତୁତ ବିଭିନ୍ନ ଉପକରଣ ତଥା ବାଥୁଡିମାନଙ୍କର ମହମ ଓ ଡୋକରା କଳାର ଭରପୁର ସଂଭାର ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି । ଭାରତରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରୀଗରମାନଙ୍କର କଳାକୌଶଳ ଏଠାରେ ପ୍ରଦର୍ଶିତ ହେଉଛି । ଜନଜାତି ଓ ଲୋକକଳା ପରମ୍ପରାର ଏକ ମିଶ୍ରରୂପ ଏହି ମେଳାର ଆକର୍ଷଣକୁ ବହୁଗୁଣିତ କରିଛି । ଦର୍ଶକମାନେ ଏକ ସାଙ୍ଗରେ ଜନଜାତିମାନଙ୍କ ଦ୍ଵାରା ପ୍ରସ୍ତୁତ କଳା ଓ କଳା ସାମଗ୍ରୀକୁ ଦେଖିବା ସହ ସେମାନଙ୍କ ପ୍ରସ୍ତୁତି ପ୍ରଣାଳୀକୁ ନିକଟରୁ ଦେଖିବାର ସୁଯୋଗ ମିଳିପାରୁଛି । ଏହି ମେଳାର ବିଶେଷ ଆକର୍ଷଣ ହେଉଛି,ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ,ଭୋପାଳଦ୍ଵାରା ସ୍ଵତନ୍ତ୍ର ଭାବେ ଆୟୋଜିତ ଚିତ୍ର ପ୍ରଦର୍ଶନୀ ମଣ୍ଡପ “ଅଭିବ୍ୟକ୍ତି” ।, ଜନଜାତି ଓ ଲୋକ ପରମ୍ପରା ର ବିରଳ ସମ୍ଭାରକୁ ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ସାଧାରଣରେ ପ୍ରଦର୍ଶିତ କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଛି । ଏସ୍.ସି.ଏସ୍.ଟି.ଆର.ଟି.ଆଇ ପରିସରରେ ଆୟୋଜିତ ଜାତୀୟ କ୍ରାଫ୍ଟମେଳା ଉଦଘାଟନ ଉତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଓ ବିଭାଗୀୟ ନିର୍ଦ୍ଦେଶକ ଡ. ଅଖିଳ ବିହାରୀ ଓତା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!