ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜିଲ୍ଲା ସ୍ତରରେ ପ୍ରାଥମିକ ଚିକିତ୍ସା ଉପରେ ତାଲିମଦାତା ସୃଷ୍ଟି କରିବା ନିମନ୍ତେ ୫ ଦିନିଆ ତାଲିମ ଶିବିର ଉଦଯାପିତ

download (1)ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜିଲ୍ଲା ସ୍ତରରେ ଜିଲ୍ଲା ରେଡକ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ପ୍ରାଥମିକ ଚିକିତ୍ସା ଉପରେ ତାଲିମଦାତା ସୃଷ୍ଟି କରିବା ନିମନ୍ତେ ୫ ଦିନିଆ ତାଲିମ ଶିବିର ସ୍ଥାନୀୟ ହୋଟେଲ ସ୍ଵସ୍ତି ପ୍ରିମିୟମ୍,ଭୁବନେଶ୍ଵର ଠାରେ ଆୟୋଜନ କରାଯାଇଥିଲା । ଭାରତୀୟ ରେଡକ୍ରସ୍ ସୋସାଇଟି ,ଜାତୀୟ ଶାଖା,ଏବଂ ଆନ୍ତର୍ଜାତୀୟ ରେଡକ୍ରସ୍ ସମିତି,ନୂଆଦିଲ୍ଲୀଙ୍କ ସହାୟତାରେ ଓଡିଶାରେ ଏହି ପ୍ରକାର କାର୍ଯ୍ୟକ୍ରମକୁ ପ୍ରଥମ ଥର ଭାବେ ଆରମ୍ଭ କରାଯାଇଅଛି । ବିପର୍ଯ୍ୟୟ ସମୟରେ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ପ୍ରାଥମିକ ଉପଚାର ପ୍ରଦାନ ବିଷୟରେ ରେଡକ୍ରସ୍ ର ସ୍ଵେଚ୍ଛାସେବୀ ଓ ଗୋଷ୍ଠୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏତଦ୍ ବ୍ଯତୀତ ଏହି ତାଲିମ ପ୍ରାପ୍ତ ସ୍ଵେଚ୍ଛାସେବୀ ମାନେ ଜିଲ୍ଲାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିବେ । ତା ୧୩.୧୨.୨୦୧୩ ରେ ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବରେ ଉଦଘାଟନ କରି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉଦଘାଟନୀ ସଭାରେ ଯୁବ ରେଡକ୍ରସ୍ ଅଧିକାରୀ ଡଃ ସରିତା ସୁପକାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶ୍ରୀ ସୁଧୀର କୁମାର ସାହୁ,ଓ.ଡି.ଏମ୍.ପି ପ୍ରକଳ୍ପ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର, ଭଦ୍ରକ,ଜଗତସିଂପୁର,ଯାଜପୁର,ପୁରୀ,କଟକ,ଖୋର୍ଦ୍ଧା,ନୟାଗଡ,ବୌଦ୍ଧ,ସୁନ୍ଦରଗଡ,କଳାହାଣ୍ଡି,କୋରାପୁଟ ଏବଂ କେଉଁଝର ଜିଲ୍ଲାରୁ ୩୦ ଜଣ SDRT/DDRT/ଯୁବ ରେଡକ୍ରସ୍ ପରାମର୍ଶଦାତା/ଜୁନିୟର ରେଡକ୍ରସ୍ ଦାତା /ରେଡକ୍ରସ୍ ସ୍ଵେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ । ଏକ ସ୍ଵତନ୍ତ୍ର ଅଧିବେଶନରେ ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଓଡିଶା ରେଡକ୍ରସ୍ ଦ୍ଵାରା ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଡଃ ସରିତା ସୁପକାର ରେଡକ୍ରସ୍ ର ଇତିହାସ ,ମୌଳିକ ନୀତି ଏବଂ ରେଡକ୍ରସ୍ ର ଚିହ୍ନ ବିଷୟରେ ଅବଗତ କରାଇଥିଲେ । ଉକ୍ତ ପାଞ୍ଚ ଦିବସୀୟ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ରେଡକ୍ରସ୍ ସମିତି ନୂଆଦିଲ୍ଲୀର ପ୍ରତିନିଧି ମି.ଜନ ଜର୍ଜ ୨ ଦିନ ଧରି ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାର କେତେଗୁଡିଏ ସରଲା ଉପାୟ ଶିଖାଇଥିଲେ । ଏହି ତାଲିମ କାର୍ଯ୍ୟକ୍ରମରେ ପ୍ରାଥମିକ ଚିକିତ୍ସା କ’ଣ ଓ ଏହାର ଉପଯୋଗୀତା,ପ୍ରାଥମିକ ଚିକିତ୍ସା ପ୍ରଦାନକାରୀର ଭୂମିକା,ଟ୍ରାଏଜ,ଆଘାତପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ,ବିଭିନ୍ନ ପ୍ରକାର ବ୍ୟାଣ୍ଡେଜ,କ୍ଷତ ଓ ରକ୍ତସ୍ରାବ ଏବଂ ଏହାର ଉପଚାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକ ଡା.ଯଶୋବନ୍ତ ଜେନା ଓ ଡା.ବିକାଶ କୁମାର ପ୍ରସାଦଙ୍କ ଦ୍ଵାରା ଶିକ୍ଷାଦାନ କରାଯାଇଥିଲା । ତା ୧୭.୧୨.୨୦୧୩ ରେ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ଅଭୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ରେଡକ୍ରସ ଦ୍ଵାରା ପ୍ରଥମ ଥର କରି ଆରମ୍ଭ କରାଯାଇଥିବା ଗୋଷ୍ଠୀ ଭିତ୍ତିକ ବିପର୍ଯ୍ୟୟ ପ୍ରସ୍ତୁତି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ରେଡକ୍ରସ୍ କୁ ସ୍ଵେଛାସେବୀର ଉତ୍ସ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଥିଲେ ଯେ ବିପର୍ଯ୍ୟୟ ସମୟରେ ଆଘାତପ୍ରାପ୍ତ ବ୍ୟକ୍ତିକୁ ସଠିକ ପ୍ରାଥମିକ ଚିକିତ୍ସା ନଦେବା କାରଣରୁ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ,ଏଣୁ ପ୍ରତ୍ୟେକ ସ୍ଵେଚ୍ଛାସେବୀ ପ୍ରାଥମିକ ଚିକିତ୍ସା ତାଲିମ ନେବା ଉଚିତ୍ । ଭାରତୀୟ ରେଡକ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ଉକ୍ତ କାର୍ଯ୍ୟକ୍ରମରେ ସ୍ବାଦତ ଭାଷଣ ପ୍ରଦାନ କରି ଆଗାମୀ ଦିନରେ ଜିଲ୍ଲାରେ,ସ୍କୁଲ ଏବଂ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମକୁ ପରିବ୍ୟାପ୍ତ କରିବା ନିମନ୍ତେ ନିଜ ସ୍ତରରେ ଆରମ୍ଭ କରିବା ପାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।

Share in top social networks!