ତଳସାରୀ,ଉଦୟପୁର ବେଳାଭୂମିର ବିକାଶ ପାଇଁ ‘ମାଷ୍ଟର ପ୍ଲାନ’କରାଯିବ,କନସଲଟାଣ୍ଟ ନିଯୁକ୍ତ ହେବେ

46444
ବାଲେଶ୍ଵର ଜିଲ୍ଲାର ତଳସାରୀ ଓ ଉଦୟପୁର ବେଳାଭୂମିକୁ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଏକ ସଂଯୁକ୍ତ ଯୋଜନା କରାଯିବ । ଏହି ପର୍ଯ୍ୟଟନ ବିକାଶର ରୂପରେଖ ପ୍ରସ୍ତୁତି ପାଇଁ କନସଲଟାନ୍ତ ମଧ୍ୟ ନିଯୁକ୍ତ ହେବେ । ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପର୍ଯ୍ୟଟକଙ୍କ ପାଇଁ ହୋଟେଲ ନିର୍ମାଣ,ରାସ୍ତା,ଆଲୋକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧା ପାଇଁ ଏହି ମାଷ୍ଟର ପ୍ଲାନର ବ୍ୟବସ୍ଥା ରହିବ । ବୈଠକରେ ସୂଚନା ଦିଆଯାଇଥିଲା ଯେ ଜିଲ୍ଲାର ଭୋଗରାଇ ବ୍ଲକରେ ଉପକୂଳ ସୁରକ୍ଷା ପାଇଁ ତଳସାରୀ ଠାରୁ ଉଦୟପୁର ପର୍ଯ୍ୟନ୍ତ ୨.୭ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ସମୁଦ୍ର ପାଚେରୀ ନିର୍ମାଣ କରାଯାଉଛି । ଏଥିରୁ ୧.୧୫ କିମି ପାଚେରୀ ନିର୍ମାଣ ସଂପୂର୍ଣ୍ଣ ହୋଇଛି ଏବଂ ଏଥିପାଇଁ ୮.୧୪ କୋଟିଟଙ୍କା ବିନିଯୋଗ ହୋଇଛି । ଆଉ ୧.୫୫ କିମି ପାଚେରୀ ନିର୍ମାଣ ୧୨.୯୧ କୋଟି ଟଙ୍କା ବିନିଯୋଗ କରାଯିବ । OCC ଜରିଆରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ଭୋଗରାଇ ବ୍ଲକର ଚନ୍ଦ୍ରବାଲି,କିର୍ତ୍ତନିଆ,ମାଟିକେଞ୍ଚ ଆଦି ଅଞ୍ଚଳରେ ୯୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ପାଚେରୀ ନିର୍ମାଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ମହେଶ୍ଵର ମହାନ୍ତି,ଭୋଗରାଇ ବିଧାୟକ ଶ୍ରୀ ଅନନ୍ତ ଦାସ,ମୁଖ୍ୟଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର,ଊନୟନ କମିଶନର ଶ୍ରୀ ଆଇ.ଶ୍ରୀନିବାସ,ପର୍ଯ୍ୟଟନ ବିଭାଗ ସଚିବ ଶ୍ରୀ ସୁଦର୍ଶନ ପାଲ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!