ଆୟୁର୍ବେଦ ର ବିକାଶ ପାଇଁ ରାଜ୍ୟ ସରକାର ଯତ୍ନବାନ –ମନ୍ତ୍ରୀ ଡା.ଦାମୋଦର ରାଉତ

images (2)ଆୟୁର୍ବେଦର ବିକାଶ ପାଇଁ ରାଜ୍ୟ ସରକାର ରାଜ୍ୟରେ ୬୧୯ଟି ଆୟୁର୍ବେଦ ଡାକ୍ତରଖାନା ,୫ଟି ଆୟୁର୍ବେଦିକ ଚିକିତ୍ସାଳୟ ,୩ଟି ସରକାରୀ ଆୟୁର୍ବେଦିକ କଲେଜ ଓ ୨ଟି ଆୟୁର୍ବେଦିକ ଭେଷଜଖାନା ମାନ ପ୍ରତିଷ୍ଠା କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିସନ ଦ୍ଵାରା ୧୪୮୫ ଜଣ ଆୟୁଷ ଡାକ୍ତର ନିଯୁକ୍ତି ପାଇଛନ୍ତି ଓ ଆୟୁଷ ନିର୍ଦ୍ଦେଶାଳୟର ଅଧିନକୁ ଆସିଛନ୍ତି । ଆୟୁସର ବିକାଶ ଓ ପ୍ରସାର ପାଇଁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ମଧ୍ୟ ଆୟୁଷ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ରାଜ୍ୟର ସମସ୍ତ ଆୟୁର୍ବେଦିକ ଡାକ୍ତରଖାନା ତଥା ଆୟୁଷ କ୍ଲିନିକ ଗୁଡିକର ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ପାଇଁ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି । ଅଧିକନ୍ତୁ ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ଏବଂ ଭ୍ରାମ୍ୟମାନ ସ୍ୱାସ୍ଥ୍ୟ ୟୁନିଟ୍(ଏମଏଚୟୁ) ଜରିଆରେ ଆୟୁର୍ବେଦିକ ଚିକିତ୍ସକ ଙ୍କୁ ବିଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ଆୟୁର୍ବେଦର ପ୍ରଚାର ଓ ପ୍ରସାର ପାଇଁ ପାରମ୍ପରିକ ବୈଦ୍ୟ ସମ୍ମିଳନୀ,ଆରୋଗ୍ୟ ମେଳା,ଓ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରାଯାଉଛି । ଚିକିତ୍ସକମାନଙ୍କର ଜ୍ଞାନର ବିକାଶ ପାଇଁ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି । ଆୟୁର୍ବେଦ ଚିକିତ୍ସକମାନଙ୍କର ପଦୋନ୍ନତି ପାଇଁ ରାଜ୍ୟସରକାର ମୋଟ ୧୮ଟି ପ୍ରଥମ ଶ୍ରେଣୀ(କନିଷ୍ଠ) ଓ ଗୋଟିଏ(ଡେପୁଟି ଡାଇରେକ୍ଟର ଆୟୁର୍ବେଦ) ପ୍ରଥମ ଶ୍ରେଣୀ (ବରିଷ୍ଠ) ପାହ୍ୟାର ପଦବୀ ସୃଷ୍ଟି କରିଛନ୍ତି । ଆୟୁର୍ବେଦ ଚିକିତ୍ସକ ମାନଙ୍କର ପଦୋନ୍ନତି ର ସୁବିଧା ପାଇଁ ସରକାର ଚଳିତ ବର୍ଷ ଏକ ନୂତନ ନିଯୁକ୍ତି ନିୟମାବଳି ପ୍ରଣୟନ କରିଛନ୍ତି । ଆୟୁର୍ବେଦ ଚିକିତ୍ସକମାନଙ୍କର ପଦୋନ୍ନତି ସୁବିଧା ଏଲୋପାଥିକ ଡାକ୍ତରମାନଙ୍କ ପଦୋନ୍ନତି ତୁଳନାରେ କମ୍ ନୁହେଁ କାରଣା ରାଜ୍ୟରେ ଏଲୋପାଥିକ ଡାକ୍ତରଙ୍କ ସଂଖ୍ୟା ୪୩୬୨ ଥିବାବେଳେ ଆୟୁର୍ବେଦିକ ଚିକିତ୍ସକଙ୍କ ସଂଖ୍ୟା ୬୮୯ ଅଟେ । ସେହି ଅନୁସାରେ ଆନୁପାତିକ ପଦୋନ୍ନତି ସଂଖ୍ୟା ଭିନ୍ନ ଅଟେ । ଆୟୁର୍ବେଦ ଚିକିତ୍ସାଳୟମାନଙ୍କରେ ଭିତ୍ତିଭୂମିର ବିକାଶ କରାଯିବା ପାଇଁ ସମସ୍ତ ଉଦ୍ୟମ ଜାରି ରହିଛି ଓ ଉକ୍ତ ବିଭାଗରେ କାର୍ଯ୍ୟରତ ଡାକ୍ତରମାନଙ୍କ ସମସ୍ତ ଆନୁଷାଙ୍ଗିକ ସୁବିଧା ପାଇଁ ସରକାର ଯତ୍ନବାନ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଧାନସଭାରେ ପ୍ରକାଶ କରିଛନ୍ତି ।

Share in top social networks!