ଧଉଳି କଳିଙ୍ଗ ମହୋତ୍ସବର ଅନ୍ତିମ ସନ୍ଧ୍ୟାର ନୃତ୍ୟରେ ଶାନ୍ତି, ସଂହତିର ବାଣୀ ଓ ସମରକଳାର ପରାକାଷ୍ଠା

ଧଉଳି: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ୍ୟାନ୍ସ ଏକାଡମୀର ମିଳିତ ଉଦ୍ୟମରେ ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆୟୋଜିତ ଏହି ଉତ୍ସବରେ ପରିବେଷିତ ହୋଇଥିଲା ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ|

ଓଡ଼ିଶାର ପାରମ୍ପାରିକ ସଂକୀର୍ତ୍ତନରୁ ଆରମ୍ଭ ହାଇଥିଲା ଆଜିର କାର୍ଯ୍ୟକ୍ରମ| ବୈଷ୍ଣବ ଧର୍ମରେ ଅବଧାରିତ ସଂକୀର୍ତ୍ତନ ପରିବେଷଣ କରିଥିଲେ ନରେନ୍ଦ୍ର ପାଟ୍ଟଶାଣୀଙ୍କ ନେତୃତ୍ବରେ ପିପିଲିର ପତିତପାବନ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ| ସେମାନେ ଖୋଳ, କୀର୍ତ୍ତନ ଓ ଝାଞ୍ଜବାଦ୍ୟରେ ହରେକୃଷ୍ଣ ବୀଜମନ୍ତ୍ର ଉପରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ| ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା ଭୁବନେଶ୍ବରର ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟେର ବୁଦ୍ଧ ଉପାଖ୍ୟାନ| ବୁଦ୍ଧଙ୍କ ବାଲ୍ୟାବସ୍ଥାରୁ ଆରମ୍ଭ କରି ସନ୍ୟାସ ଧର୍ମ ଗ୍ରହଣ କରିବା ପର୍ଯ୍ୟନ୍ତ ବିଭିନ୍ନ ଘଟଣାକ୍ରମକୁ ଅତି ନିଖୁଣ ଓ ସୁନ୍ଦର ଭାବରେ ପରିବେଷଣ କରିଥିଲେ ନୃତ୍ୟାୟନର କଳାକାରମାନେ| ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ନୃତ୍ୟ ସଂଯୋଜନା, ଗୁରୁ ଧନେଶ୍ବର ସ୍ବାଇଁଙ୍କ ତାଳ ସଂଯୋଜନା ଓ ଗୁରୁ ସୁକାନ୍ତ କୁମାର କୁଣ୍ଡୁଙ୍କ ସଙ୍ଗୀତ ସଂଯୋଜନାରେ ପରିବେଷିତ ଓଡ଼ିଶୀ ନୃତ୍ୟାଭିନୟ ଦ୍ବାରା ଦର୍ଶକମାନେ ବିମୋହିତ ହୋଇଥିଲେ|

ମୟୂରଭଞ୍ଜ ଛଉ ଓ ପାଇକ ଆଖଡ଼ାର ବିଭିନ୍ନ ଅଙ୍ଗଭଙ୍ଗୀ, ଗତି ଓ ପଦଚାଳନାକୁ ନେଇ ସମଳକଳା ଉପରେ ଆଧାରିତ ଏହି ନୃତ୍ୟକୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବଂ ଖାର୍ଦ୍ଦାର ମା ଅଁଳେଇ ପାଇକ ଆଖଡ଼ା ସଂଘର କଳାକାରମାନେ ଏକ ଅଭିନବ ତଥା ଚିତ୍ତାକର୍ଷକ ନୃତ୍ୟ ସମର ତରଙ୍ଗ ପରିବେଷଣ କରିଥିଲେ, ଯାହାର ସଂରଚନା କରିଥିଲେ ବିଶିଷ୍ଟ ନୃତ୍ୟାଙ୍ଗନା ଡ. ଇଲିୟାନା ଚିତାରିସ୍ତି| ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ଲଉଡ଼ିନୃତ୍ୟ| ଭିନ୍ନକ୍ଷମ ଗରୁ ନିତ୍ୟାନନ୍ଦ ଦାସଙ୍କ ନିର୍ଦ୍ଦେଶନାରେ ଏହି ଲଉଡ଼ି ନୃତ୍ୟ ଏକ ନିଆରା ଅନୁଭୂତି ଓ ଆନନ୍ଦ ଆଣିଥିଲା ଦର୍ଶକଙ୍କ ମନରେ|

ଶେଷରେ କେନ୍ଦ୍ରାପଡ଼ାର ଗୋପାଳଦାସ ମେମୋରିଆଲ ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ଗୀତିନାଟ୍ୟ କାଞ୍ଚି-କାବେରୀକୁ ଭରପୁର ଦର୍ଶକମାନେ ଉପଭୋଗ କରିଥିଲେ| ଗଣକବି ଗୋପାଳ ଦାଶଙ୍କ ରଚିତ ଏହି ଗିତିନାଟ୍ୟକୁ ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଶ୍ରୀ ନଗେନ ପରିଜା|

ସନ୍ଧ୍ୟାରେ ଅତିଥିମାନେ ଥିଲେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ; ମାନ୍ୟବର ଶକ୍ତି ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଏବଂ ଆଇସିସିଆରର ଆଞ୍ଚଳିକ ନିର୍ଦ୍ଦେଶିକା ମିନାକ୍ଷୀ ମିଶ୍ର| କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶ୍ରୀନିବାସ ଘଟୁଆରୀ ଏବଂ ପ୍ରତ୍ୟାଶା ଦାସ|

Share in top social networks!