ମାର୍ଚ ୨୦ ରୁ ଓପିଏଲ୍ -୩

46283ଓଡିଶା ପ୍ରିମିୟର୍ ଲିଗ୍ (ଓପିଏଲ)ର ତୃତୀୟ ସଂସ୍କରଣ ୨୦୧୪ ମାର୍ଚ ୨୦ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସେହିପରି ପ୍ରଥମ କରି ମହିଳା ଓପିଏଲ୍ ମଧ୍ୟ ଆୟୋଜନ କରାଯିବ । ତାହା ମାର୍ଚ୍ଚ ୨୫ରୁ୩୧ମଧ୍ୟରେ ଖେଳାଯିବ । ରବିବାର ଓପିଏଲ୍ ଗଭର୍ଣ୍ଣିଂ କାଉନ୍ସିଲର ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।ଗତବର୍ଷ ଭଳି ଏଥର ମଧ୍ୟ ଓପିଏଲ ୨ଟି ସ୍ଥାନରେ ଖେଳାଯିବ । ଗୋଟିଏ କଟକର ବାରବାଟୀ ଷ୍ଟାଡିୟମ୍ ହୋଇଥିଲାବେଳେ ଅନ୍ୟଟି ଚୁଡାନ୍ତ ହୋଇ ନାହିଁ । ଏନେଇ ଭୁବନେଶ୍ଵର,ସମ୍ବଲପୁର,ବଲାଙ୍ଗୀର ଏବଂ ପାରାଦୀପ ଜିଲ୍ଲା କ୍ରୀଡା ସଂଘ ସହ ଆଲୋଚନା ପରେ ଚୁଡାନ୍ତ ନିସ୍ପତି ନିଆଯିବ ବୋଲି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ଜଣାଇଛନ୍ତି । ଗତବର୍ଷ ଭଳି ଏବର୍ଷ ବି ୮ଟି ଦଳ ୨ଟି ଗ୍ରୁପରେ ଭାଗହୋଇ ଲିଗ୍ ମ୍ୟାଚ ଖେଳିବା ପରେ ସେମିଫାଇନାଲ୍ ,ଫାଇନାଲ ଅନୁଷ୍ଠିତ ହେବ । ପ୍ରତିଦଳରେ ୨୦ ଜଣ ଲେଖାଏଁ ,ମୋଟ ୧୬୦ ଖେଳାଳି ବଛାହେବେ । ସମସ୍ତ ଖେଳାଳିଙ୍କୁ ୫ ଟି ଗ୍ରେଡ ରେ ଭାଗ କରାଯିବ । ପ୍ରତି ଗ୍ରେଡ୍ ରେ ୩୨ ଜଣ ଲେଖାଏଁ ସ୍ଥାନ ପାଇବେ । ଗ୍ରେଡ୍ ଅନୁଯାୟୀ ସେମାନଙ୍କର ମୂଲ୍ୟ ୫୦ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ହେବ । ଚମ୍ପିୟାନ୍ ,ରନର୍ସ ଅପ୍ ଓ ତୃତୀୟ ଦଳକୁ ଯଥାକ୍ରମେ ୩ଲକ୍ଷ,୨ଲକ୍ଷ ଓ ୧ ଲକ୍ଷ ଅର୍ଥ ପ୍ରଦାନ କରାଯିବ । ପ୍ରତି ମ୍ୟାଚର ମ୍ୟାନ୍ ଅଫ ଦି ମ୍ୟାଚଙ୍କୁ ୫ ହଜାର ଓ ମ୍ୟାନ ଅଫ ଦି ସିରିଜ୍ ଙ୍କୁ ୨୫ ହଜାର ଟଙ୍କା ପ୍ରଦାନ କରାଯିବ । ମହିଳା ଓପିଏଲ୍ ରେ ମୋଟ ୪ ଟି ଦଳ ଅଂଶଗ୍ରହଣ କରିବେ । ପ୍ରତି ଦଳରେ ୧୫ ଜଣ ଲେଖାଏଁ ମୋଟ ୬୦ ଜଣ ଖେଳାଳି ବଛାହେବେ । ସେମାନଙ୍କୁ ୩ଟି ଗ୍ରେଡରେ ଭାଗ କରାଯିବ । ଗ୍ରେଡ୍ ‘ଏ’ ରେ ଥିବା ୨୦ ଜଣଙ୍କୁ ୩୦ ହଜାର,ଗ୍ରେଡ ‘ବି’ ରେ ୨୦ ଖେଳାଳିଙ୍କୁ ୨୦ ହଜାର ଓ ଗ୍ରେଡ୍ ‘ସି’ରେ ଖେଳାଳିଙ୍କୁ ୧୦ ହଜାର ପ୍ରଦାନ କରାଯିବ । ପ୍ରତି ଦଳ ପରସ୍ପର ସହ ୨ଟି ଲେଖାଏଁ ଲିଗ୍ ମ୍ୟାଚ ଖେଳିବା ପରେ ବାରବାଟୀ ଫ୍ଲଡ୍ ଲାଇଟ୍ ରେ ଫାଇନାଲ ମ୍ୟାଚ ଖେଳିବେ । ମ୍ୟାଚକୁ ସ୍ଥାନୀୟ ଏକ ଟିଭି ଚାନେଲ୍ ରେ ପ୍ରସାରଣ କରାଯିବ । ମହିଳା ଚମ୍ପିୟାନ ଦଳକୁ ୧ ଲକ୍ଷ ଟଙ୍କା ଓ ରନର୍ସ ଅଫ କୁ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ପ୍ଲେୟାର ଅଫ୍ ଦି ମ୍ୟାଚ୍ ୫ ହଜାର ଓ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ୧୦ ହଜାର ଟଙ୍କା ପୁରସ୍କାର ପାଇବେ ।

Share in top social networks!