ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

46196
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୧୪,ଭୁବନେଶ୍ଵର ମହାତ୍ମାଗାନ୍ଧୀ ମାର୍ଗରେ ମହାସମାରୋହରେ ପାଳନ କରିବା ପାଇଁ ସଚିବାଳୟ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ସ୍ଵରାଷ୍ଟ୍ର ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିପିନ ସାକସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଆୟୋଜିତ ପ୍ୟାରେଡ ଉତ୍ସବରେ ମହାମାନ୍ୟ ରାଜ୍ୟପାଳ ଡଃ ଏସ୍.ସି ଜମିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ଘ.୮.୩୦ ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିବେ । ରାଜ୍ୟସ୍ତରୀୟ ପ୍ୟାରେଡରେ ୭୯ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଡେପୁଟି ପୋଲିସ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ୟାରେଡ ଉତ୍ସବ ସ୍ଥାନ ତଥା ନିକଟବର୍ତ୍ତୀ ସ୍ଥାନମାନଙ୍କରେ ନିରାପତ୍ତା ଓ ଯାଜବାହାନ ନିୟନ୍ତ୍ରଣ କରିବା ସହ ପ୍ୟାରେଡର ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ଭୁବନେଶ୍ଵର ମହାନଗର ନିଗମ ତରଫରୁ ପାନୀୟ ଜଳ ଯୋଗାଣ,ପୂର୍ତ୍ତ ବିଭାଗ ପକ୍ଷରୁ ବ୍ୟାରିକେଡିଙ୍ଗ,ସେସୁ ଦ୍ଵାରା ଆଲୋକ ବ୍ୟବସ୍ଥା, ସପ୍ତମ ସଶସ୍ତ୍ର ବାହିନୀ ତରଫରୁ ପତାକା ଉତ୍ତୋଳନ ମଞ୍ଚର ସାଜସଜ୍ଜା ,ସେଣ୍ଟ ଜୋନ ଆମ୍ବୁଲାନ୍ସ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ତରଫରୁ ପ୍ରାଥମିକ ସହାୟତା କେନ୍ଦ୍ର ଖୋଲିବା ଏବଂ ଆମ୍ବୁଲାନ୍ସ ଯୋଗାଇଦେବା ନିମନ୍ତେ ନିଷ୍ପତ୍ତି ନିଆଯାଇଅଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ପ୍ୟାରେଡ ସାଜସଜ୍ଜା,ବସିବାର ବ୍ୟବସ୍ଥା ,ନିମନ୍ତ୍ରଣ ପତ୍ର ମୁଦ୍ରଣ ଓ ବଣ୍ଟନ ଏବଂ ଧାରା ବିବରଣୀ ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରାଯିବ । ସଚିବାଳୟ,ବିଧାନସଭା ସୌଧ,ରବୀନ୍ଦ୍ର ମଣ୍ଡପ,ଲୋକସମ୍ପର୍କ ଭାବନ ଏବଂ ଜୟଦେବ ଭବନରେ ଆଲୋକ ସଜ୍ଜା କରିବା ନିମନ୍ତେ ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବ । ଏଥିପାଇଁ ସଂସ୍କୃତି ବିଭାଗକୁ ଦାୟିତ୍ଵ ଦିଆଯାଇଅଛି । ପ୍ରଜ୍ଞାପନ ମେଢ ପ୍ରଦର୍ଶନ ପାଇଁ ଇଚ୍ଛୁକ ଥିବା ସରକାରୀ ଅନୁଷ୍ଠାନ,ସାଧାରଣ ଉଦ୍ୟୋଗ,ବେସରକାରୀ ଅନୁଷ୍ଠାନ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଗୃହ ବିଭାଗ କୁ ଚଳିତ ମାସ ୨୫ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଏହି ବୈଠକରେ ସ୍ବରାଷ୍ଟ୍ର ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ,ପୋଲିସ କମିଶନର ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା,ଡି.ସି.ପି ଶ୍ରୀ ନିତିନ୍ ଜିତ ସିଂ,ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ଦାସ ,ଉପନିର୍ଦ୍ଦେଶକ ଶ୍ରୀ ରାମଶଙ୍କର ବେହେରାଙ୍କ ସମେତ ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ,ଭୁବନେଶ୍ଵର ମହାନଗର ନିଗମ ,ରାସ୍ତା ଓ କୋଥାବାଦୀ ,ଜନସ୍ୱାସ୍ଥ୍ୟ ,ଜି.ଇ.ଡି ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Share in top social networks!