ଚତୁର୍ଦ୍ଦଶ ଅର୍ଥକମିଶନଙ୍କୁ ରାଜ୍ୟ ତରଫରୁ ସ୍ମାରକପତ୍ର ପ୍ରଦାନ

46235ରାଜ୍ୟ ସରକାରଙ୍କ ପକ୍ଷରୁ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ନିକଟରେ ବିଭିନ୍ନ ଯୋଜନା ପାଇଁ ୪.୬ ଲକ୍ଷ କୋଟି ଟଙ୍କା ଦାବି କରାଯାଇଛି । ସୋମବାର ଦିନ ରାଜ୍ୟସରକାର ଓ ଚତୁର୍ଦ୍ଦଶ ଅର୍ଥକମିଶନ ପ୍ରତିନିଧି ଦଳ ସହ ଆଲୋଚନା ବେଳେ ଏ ସମ୍ପର୍କିତ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି । ଚତୁର୍ଦ୍ଦଶ ଅର୍ଥ କମିଶନ ଅଧ୍ୟକ୍ଷ ଡକ୍ଟର ୱାଇ.ଭି ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହାର ସଭ୍ୟ ପ୍ରଫେସର ଅଭିଜିତ ସେନ,ମିସ୍ ସୁଷମା ନାଥ,ଡଃ ଏମ୍ ଗୋବିନ୍ଦ ରାଓ ଓ ସଚିବ ଏ.ଏନ୍.ଝା ଡିସେମ୍ବର ୯ ଓ ୧୦ ଦୁଇଦିନ ଓଡିଶା ଗସ୍ତରେ ଆସି ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ,ମନ୍ତ୍ରୀମଣ୍ଡଳର ସଦସ୍ୟବୃଦ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ଆଲୋଚନା ବେଳେ ରାଜ୍ୟର ଅପେକ୍ଷାକୃତ ପଛୁଆ ଓ ବର୍ଦ୍ଧିତ ଜନସଂଖାକୁ ଜନସେବା ଯୋଗାଇବାକୁ ଦ୍ରୁଷ୍ଟି ଦିଆଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏଥି ନିମନ୍ତେ ସମୁଚିତ ଆର୍ଥିକ ଆବଣ୍ଟନ ସୂତ୍ର ପ୍ରସ୍ତୁତ କରିବା ଉଚିତ ଯଦ୍ୱାରା ରାଜ୍ୟଏହାର ଉଚିତ ଅଂଶ ପାଇପାରିବ । ରାଜ୍ୟମାନଙ୍କୁ ବହୁ କ୍ଷେତ୍ରରେ ନିଜସ୍ଵ ସମବଳରୁ ବ୍ୟୟ କରିବାକୁ ପଡିଥାଏ ଏବଂ କେନ୍ଦ୍ର ପାଖରେ ରାଜସ୍ଵର ମୁଖ୍ୟ ଅଂଶ ରହିଥାଏ । ଏହାକୁ ଆନୁପାତିକ ଭାବେ ରାଜ୍ଯମାନଙ୍କ ମଧ୍ୟରେ ବଣ୍ଟନ କରିବାର ଦାୟିତ୍ଵ କେନ୍ଦ୍ର ସରକାରଙ୍କର ,ତେଣୁ ବିଗତ ବର୍ଷ ମାନଙ୍କର ଅଭିବୃଦ୍ଧି ହାରକୁ ରାଜସ୍ୱ ଓ ବ୍ୟୟ ମାପକାଠି ରୂପେ ବିବେଚନାକରାଗଲେ ଅପେକ୍ଷାକୃତ ଗରିବ ରାଜ୍ୟମାନଙ୍କୁ ଉଚିତ ନ୍ୟାୟ ମିଳି ପାରିବ ନାହିଁ । ବର୍ତ୍ତମାନ ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଟିକସର ଅଂଶକୁ ଶତକଡା ୩୨ରୁ୫୦ ଭାଗ କୁ ବୃଦ୍ଧି କରିବା ଉପରେ ସେ ଗୁରୁତ୍ଵଆରୋପ କରିଥିଲେ । ଏଥି ନିମନ୍ତେ ୧୯୭୧ ଜନଗଣନା ଆଧାରରେ ମୋଟାମୋଟି ଜନସଂଖ୍ୟାର ୨୦% ଅନୁସୂଚିତ ଜାଟୋ ଓ ଜନଜାତିର ଅନୁପାତକୁ ଦୃଷ୍ଟିରେ ରଖି ଟିକସ ବଣ୍ଟନ କରାଯିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଆର୍ଥିକ ଶୃଙ୍ଖଳା ଉପରେ ସର୍ବାଧିକ ଗୁତିତ୍ଵ ପ୍ରଦାନ କରାଯିବା ସହ ନିର୍ଦ୍ଦିଷ୍ଟ ଅନୁଦାନର ସର୍ତ୍ତ କୋହଳ କରାଗଲେ ରାଜ୍ୟ ଏହାକୁ ସହଜରେ ପାଇପାରିବ । ସ୍ୱାୟତ୍ତ ଶାସନ ସଂସ୍ଥା ଓ ତ୍ରୀସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ସମ୍ବଳ ବୃଦ୍ଧି ନିମନ୍ତେ ସମ୍ପ୍ରତ୍ତି ପ୍ରଚଳିତ କେନ୍ଦ୍ରୀୟ ଟିକସ ଅଂଶକୁ ୫% ବୃଦ୍ଧିକରାଯିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସେ ମଧ୍ୟ ରାଜ୍ୟ ବିପର୍ଯ୍ୟୟ ମୁକାବେଲା ପାଣ୍ଠି କୁ ପରିମାଣ ନିର୍ଦ୍ଧାରଣ କରିବା ସମୟରେ ରାଜ୍ୟର ରାଜସ୍ୱ ସମ୍ବଳକୁ ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ । ଯଦ୍ୱାରା ଏହାର ପରିମାଣ କେନ୍ଦ୍ର ଓ ରାଜ୍ୟ ମଧ୍ୟ ୯୦ : ୧୦ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏ ସଙ୍କ୍ରାନ୍ତରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଆର୍ଥିକ ସ୍ଥିତି ଉପରେ ଡକ୍ଟର ୱାଇ.ଭି ରେଡ୍ଡି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ଵତନ୍ତ୍ର ଭାବେ ବିପର୍ଯ୍ୟୟ ପରିଚାଳନା ଉପରେ ଦୃଷ୍ଟି କେନ୍ଦ୍ରିତ କରି କେନ୍ଦ୍ରଠାରୁ ତୁରନ୍ତ ରିଲିଫ ସହାୟତା ରାଶୀ ମଞ୍ଜୁର କରିବା ଏବଂ ପରିମାଣ ବୃଦ୍ଧି ଉପରେ ଯୋଡ଼ା ଦିଆଯାଇଛି । କମିଶନ ତାଙ୍କର ଏହି ଗସ୍ତ ବେଳେ ରାଜ୍ୟର ରାଜନୈତିକ ଦଳର ପ୍ରତିନିଧି ,ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି , ସ୍ୱାୟତ୍ତ ଶାସନର ପ୍ରତିନିଧି,ବାଣିଜ୍ୟ ଏବଂ ଶିଳ୍ପ ପ୍ରତିଷ୍ଠାନର ପ୍ରତିନିଧିମାନଙ୍କ ସହ ପୃଥକ୍ ପୃଥକ ଭାବେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେହିପରି କମିଶନ ପ୍ରତିନିଧୀମାନେ ଚିଲିକା ଉନ୍ନୟନ ପ୍ରାଧିକରଣ ଏବଂ ବାଲୁଗାଁ ନିକଟ ଚନ୍ଦ୍ରପୁଟ ଠାରେ ଅବସ୍ଥାପିତ ୱେଟଲ୍ୟାଣ୍ଡ ଗବେଷଣା କେନ୍ଦ୍ର ସହ ସମୁଦ୍ର ଦ୍ଵାରା କ୍ଷୟପ୍ରାପ୍ତ ସ୍ଥାନଗୁଡିକ ବୁଲି ଦେଖିଥିଲେ । କମିଶନ ତାଙ୍କର ସୁପାରିଶକୁ ଅକ୍ଟୋବର ୨୦୧୪ ସୁଦ୍ଧା ଚୁଡାନ୍ତ କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

Share in top social networks!