ରାଣୀକର୍ଣ୍ଣାଙ୍କ କଥକ ନୃତ୍ୟରେ ମଞ୍ଚ ଥରିଲା

46125କଳା,ସଂସ୍କୃତି ,ଶାସ୍ତ୍ରୀୟ ନୃତ୍ୟ,ସଙ୍ଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ଉଦଯାପିତ ହୋଇଯାଇଛି । ମୁକ୍ତାକାଶ ରଙ୍ଗମଞ୍ଚରେ ଗତ ପହିଲାରୁ ଆରମ୍ଭ ହୋଇଥିବା ଏହି ସାଂସ୍କୃତିକ ତଥା ପାରମ୍ପରିକ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଖ୍ୟାତିନାମା ନୃତ୍ୟାଙ୍ଗନା ରାଣୀକର୍ଣ୍ଣା ଓ ତାଙ୍କ ସାଥିଙ୍କ ଦ୍ଵାରା ପରିବେଷିତ ହୋଇଥିଲା କଥକ ନୃତ୍ୟ । ପରେ ହିନ୍ଦୁସ୍ଥାନୀ ଓ କଥକ ନୃତ୍ୟର ସମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ‘ହିନ୍ଦୋଳ ତରାନା’।. ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଶେଷ ଚରଣରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ରିସର୍ଚ ସେଣ୍ଟର କଳାକାରମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଶିବ-ପାର୍ବତୀ ବିବାହ ଓ ଏକାମ୍ରକ୍ଷେତ୍ରରେ ନିବାସ ପ୍ରସଙ୍ଗକୁ ନେଇ ‘ଏକାମ୍ର ଲୀଳା’ । .ଗୁରୁ ରାମହାରି ଦାସ ଙ୍କ ପରିକଳ୍ପନାକୁ ସଙ୍ଗୀତ ରୂପ ଦେଇଥିଲେ ଗୁରୁ ସ୍ଵପ୍ନେଶ୍ଵର ଚକ୍ରବର୍ତ୍ତୀ । ତାଳ ବାଦ୍ୟ ରୂପ ଦେଇଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । ଗୁରୁ ଭକ୍ତିଲତା ପାଲଙ୍କ ନୃତ୍ୟ ସଂଯୋଜନା ରେ ସମୃଦ୍ଧ ନୃତ୍ୟ ନାଟିକା ‘ଏକାମ୍ର ଲୀଳା’ ଏକ ଭିନ୍ନ ଅନୁଭବ ଦେଇଥିଲା ଦର୍ଶକଙ୍କୁ । ଡ. ସାଧନା ଶ୍ରୀବାସ୍ତବ ଓ ଡ.ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣୀୟ ଥିଲା । ଶେଷରେ ଆନ୍ତର୍ଜାତୀୟ ବାଲୁକା କଳାରେ ସୁବଳ ମହାରଣା ପ୍ରଥମ,ଜିତେନ୍ଦ୍ର ଜଗଦେବ ଦ୍ଵିତୀୟ,ଓ ବାଦଲ କୁମାର ତରାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେମାନଙ୍କୁ ଯଥାକ୍ରମେ ୧ଲକ୍ଷ, ୫୦ହଜାର ଓ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଅଥିଲା । ଅନ୍ତିମ ସନ୍ଧ୍ୟା ଅତିଥି ଥିଲେ ପର୍ଯ୍ୟଟନ ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ, ସଂସ୍କୃତି ନିର୍ଦ୍ଦେଶକ ସୁଶୀଲ ଦାସ,ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ହରିଶଙ୍କର ଉପାଧ୍ୟାୟ ଏବଂ ‘ହାରୋ’ର ଅଧ୍ୟକ୍ଷ ଜେକେ ମହାନ୍ତି ।

Share in top social networks!