ନୂତନ ଦରମାହାର ବୃଦ୍ଧି ଦ୍ଵାରା ୨୨୭୨୪ ଗଣଶିକ୍ଷକ ଉପକୃତ ହେବେ… ଗଣଶିକ୍ଷା ମନ୍ତ୍ରୀ

46090
ଦୀର୍ଘଦିନରୁ ବିଚାରାଧୀନ ଥିବା ଗଣଶିକ୍ଷକମାନଙ୍କର ଦରମା ହାର ବୃଦ୍ଧି ଆଜି ନୂତନ କ୍ୟାରିୟର ଆଡଭାନ୍ସମେଣ୍ଟ ନୀତି ଘୋଷଣା ଫଳରେ ରାଜ୍ୟରେ ସର୍ବମୋଟ ୨୨୭୨୪ ଗଣଶିକ୍ଷକ ଉପକୃତ ହେବେ ବୋଲି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ଗୃହରେ ସୂଚନା ଦେଇଛନ୍ତି । ଗଣଶିକ୍ଷକମାନଙ୍କର ବିବିଧ ସମସ୍ୟାକୁ ସହୃଦୟତାର ସହିତ ବିଚାର କରି ରାଜ୍ୟ ସରକାର ସେମାନଙ୍କର ହିତ ସାଧନ ନିମନ୍ତେ କ୍ୟାରିୟର ଆଡଭାନ୍ସମେଣ୍ଟ ପଲିସି ପ୍ରଣୟନ କରିଛନ୍ତି ।ଉକ୍ତ ନୀତି ଅନୁଯାୟୀ ୦୧.୦୪.୨୦୧୩ଠାରୁ ଗଣଶିଖ୍ବ୍ୟାକମାନଙ୍କର ଯୋଗ୍ୟତା ଏବଂ ତାଲିମ ଅନୁଯାୟୀ ସେମାନଙ୍କର ପାରିଶ୍ରମିକ ବୃଦ୍ଧି କରାଯିବ । ଏହା ସହିତ ଯେଉଁ ଗଣଶିକ୍ଷକ ମାନେ ୬ବର୍ଷ ନିରବଚ୍ଛିନ୍ନ ଓ ସନ୍ତୋଷଜନକ ଭାବେ କାର୍ଯ୍ୟ ସମ୍ପାଦନ କରିଥିବେ ସେମାନେ ବରିଷ୍ଠ ଗଣଶିକ୍ଷକ ଭାବେ ପରିଗଣିତ ହେବା ସହ ୦୧.୦୪.୨୦୧୪ ଠାରୁ ବିଭିନ୍ନ ହାରରେ ପାରିଶ୍ରମିକ ପାଇବେ ଯଥା-ମାଟ୍ରିକ ପାସ୍(ଅଣତାଲିମପ୍ରାପ୍ତ)ଟ.୩୭୦୦/-,ଯୁକ୍ତ ୨/ଯୁକ୍ତ ୩ ପାସ୍ (ଅଣତାଲିମପ୍ରାପ୍ତ)ଟ.୪,୨୦୦/-,ମାଟ୍ରିକ ସି.ଟି. ଟ. ୪,୨୦୦ /-ଏବଂ ତାଲିମପ୍ରାପ୍ତ ଯୁକ୍ତ ୨/ଯୁକ୍ତ ୩ ପାସ୍ ଟ. ୫,୨୦୦ /-ପାଇବେ ବୋଲି ମନ୍ତ୍ରୀ ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି । ଏତଦବ୍ୟତୀତ ଯୁକ୍ତ ୨ କିମ୍ବା ତଦୁର୍ଦ୍ଧ୍ଵ ଶିକ୍ଷା ସହ ତାଲିମ ଯୋଗ୍ୟତା ଥାଇ ୬ ବର୍ଷ ନିରବଚ୍ଛିନ୍ନ ଓ ସନ୍ତୋଷଜନକ ଭାବେ କାର୍ଯ୍ୟ ସମ୍ପାଦନ କରିଥିବା କିମ୍ବା ତାଲିମପ୍ରାପ୍ତ ହେବାର ୩ବର୍ଷ ମଧ୍ୟରୁ ଯାହାପରେ ପ୍ରାପ୍ତ ହୋଇଥିବ ତାହା ବିଚାରକୁ ନେଇ ଗଣଶିକ୍ଷକମାନଙ୍କୁ ଜିଲ୍ଲା ପରିଷଦ ବର୍ଗ-୨ ଶିକ୍ଷକ ଭାବେ ପରିଗଣିତ କରାଯିବ ଏବଂ ସେମାନେ ମାସିକ ଟ.୭,୦୦୦/-ପାରିଶ୍ରମିକ ପାଇବେ । ଜିଲ୍ଲା ପରିଷଦ ବର୍ଗ-ଶିକ୍ଷକ ଭାବେ ୩ ବର୍ଷ କାର୍ଯ୍ୟ କଲା ପରେ ସେମାନେ ନିୟମିତ ଜିଲ୍ଲା ପରିଷଦ ଶିକ୍ଷକ ଭାବେ ପରିଗଣିତ ହେବେ ଏବଂ ନିୟମିତ ଜିଲ୍ଲା ପରିଷଦ ଶିକ୍ଷକଙ୍କ ପାଇଁ ପ୍ରଯୁଜ୍ୟ ଦରମା ପାଇବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଗଣଶିକ୍ଷକମାନଙ୍କର ପାରିଶ୍ରମିକ ବାବଦରେ ହାରାହାରି ୧୨୩.୦୭ କୋଟି ଟଙ୍କା ବ୍ୟୟ ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।

Share in top social networks!