କୋଣାର୍କ ଉତ୍ସବ ୪ ର୍ଥ ସନ୍ଧ୍ୟା ; ଶାସ୍ତ୍ରୀୟ ‘କୁଚିପୁଡି’ ଓ ‘ଓଡିଶୀ’ରେ ଜୀବନର ସତ୍ୟ ଉଦଘାଟିତ

unnamed (1)କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟାରେ କୁଚିପୁଡି ନୃତ୍ୟ ଓ ଓଡିଶୀର ଲାସ୍ୟପୂର୍ଣ୍ଣ ପରିବେଷଣ ଦର୍ଶକଙ୍କୁ ତିନି ଘଣ୍ଟାରୁ ଉର୍ଦ୍ଧ୍ଵ ସମାୟଧରି ବାନ୍ଧି ରଖିଥିଲା । କୁଚିପୁଡି ନୃତ୍ୟ ଶୈଳୀର ବିଶିଷ୍ଟ ଉପସ୍ଥାପିକା ଡଃ ଆଲେଖ୍ୟା ପୁଞ୍ଜାଲା ‘ମାତୃ ବନ୍ଦନା’ କୁ ବେଶ୍ ମନୋଜ୍ଞ ଭାବେ ଉପସ୍ଥାପିତ କରିଥିଲେ । ମାତୃଶକ୍ତି ବିବିଧ ରୂପରେ ପ୍ରକଟିତ ହୋଇ ସନ୍ତାନର କଲ୍ୟାଣ କରିଛନ୍ତି । ପୁରାଣ ବର୍ଣ୍ଣିତ ସରସ୍ଵତୀ,ଲକ୍ଷ୍ମୀ ଓ ପାର୍ବତୀ ମାତୃ ଚେତନାର ମହନୀୟ ପ୍ରକାଶ । ଧନ-ଐଶ୍ଵର୍ଯ୍ୟ,ବିଦ୍ୟା-ଜ୍ଞାନ,ଓ ଶକ୍ତି-ମୁକ୍ତିର ଆଧାର ହିଁ ସେହି ମାତୃ ଶକ୍ତି । ‘ଜୟ ଜୟ ଦେବୀ’ ‘ମହାଲକ୍ଷ୍ମୀ ଅମ୍ବା’ ଓ ବିଦ୍ୟାଦାତ୍ରୀ ସରସ୍ଵତୀ’ଙ୍କୁ ନୃତ୍ୟରେ ପରଶି ଦେଇଥିଲେ ଲାସ୍ୟମୟୀ ପୁଞ୍ଜାଲା ଓ ସହଶିଳ୍ପୀ । ପରେପରେ ଓଡିଶୀ ଶାସ୍ତ୍ରୀୟ ନୃତ୍ୟକୁ ନେଇମଞ୍ଚ ପ୍ରବେଶ କରିଥିଲେ ଇଟାଲୀ ଜନ୍ମିତ ଓଡିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଇଲିଆନା ସିତାରିସ୍ତ ଓ ଆର୍ଟ ଭିଜନର ଶିଳ୍ପୀଗଣ । ପ୍ରାରମ୍ଭିକ ମଙ୍ଗଳା ଚରଣରେ ପ୍ରସ୍ତୁତ ଶିବାକଷ୍ଟମ୍ ନଟରାଜ ଶିବ ଶଙ୍କରଙ୍କ ସ୍ତୁତିକୁ ପ୍ରକାଶ କରିଥିଲେ ଓ ତା’ପରେ କାଳଚକ୍ରର ପ୍ରବହମାନତା ଓ ସର୍ବବ୍ୟାପକତାକୁ ନେଇ ପ୍ରସ୍ତୁତି ହୋଇଥିଲା ‘କାଳ’ ।. ଇଲିଆନା,ଶାଶ୍ଵତ ଯୋଶୀ ଓ ସହଶିଳ୍ପୀ ଙ୍କ ନିଖୁଣ ଅଭିନୟ ଭିତରେ ସୃଷ୍ଟି ତତ୍ତ୍ଵର ଅବଧାରିତ ସତ୍ୟ ପ୍ରକାଶ ପାଇଥିଲା । ଡଃ ସାଧନା ଶ୍ରିବାସ୍ତବ ଓ ଡଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ପ୍ରସ୍ତୁତ ସାଂସ୍କୃତିକ କାର୍ଯ୍ୟକ୍ରମରେ OTDC ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ମିଶ୍ର,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ପାଦକ ଚିତ୍ତରଞ୍ଜନ ମଲିଆ,ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପିକା ଡଃ ସଂଗୀତା ଗୋସାଇଁ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଆଜିର ଅତିଥି ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ ପ୍ରଖ୍ୟାତ ନୃତ୍ୟାଙ୍ଗନା ଡଃ ପ୍ରିୟମ୍ବଦା ମହାନ୍ତି ହେଜମାଦି ,ଅରୁଣା ମହାନ୍ତି ଓ ଓଡିଶୀ ସଙ୍ଗୀତ ଶିଳ୍ପୀ ଡଃ ସଂଗୀତା ଗୋସାଇଁ ।

Share in top social networks!