ବିଶ୍ଵ ଭିନ୍ନକ୍ଷମ ଦିବସ ପାଳିତ ;ଭିନ୍ନ କ୍ଷମମାନଙ୍କୁ ବିବାହ ପାଇଁ ପ୍ରୋତ୍ସାହନ ,ଲାପଟପ୍ ବଣ୍ଟନ,ୱେବସାଇଟ୍ ଏବଂ ସହାୟତା ପାଇଁ ଟୋଲ୍ ଫ୍ରି ଟେଲିଫୋନ ବ୍ୟବସ୍ଥାର ଶୁଭାରମ୍ଭ

downloadଆଜି ବିଶ୍ଵ ଭିନ୍ନକ୍ଷମ ଦିବସ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୁଲ୍ୟରେ ଭୁବନେଶ୍ଵର ଆଦିବାସୀ ପଡିଆଠାରେ ପାଳିତ ହୋଇଯାଇଛି ।ଏହି ଅବସରରେ ଭିନ୍ନକ୍ଷମଙ୍କୁ ବିବାହ ପାଇଁ ପ୍ରୋତ୍ସାହନ,ଲାପଟପ୍ ବଣ୍ଟନ,ନୂତନ ୱେବସାଇଟ୍ ଏବଂ ସହାୟତା ପାଇଁ ଟୋଲ ଫ୍ରି ଟେଲିଫୋନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ରାଜ୍ୟସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ୬୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୧୦ କେଜି ଚାଉଳ କେଜି ୧ଟଙ୍କାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ପୂର୍ବରୁ ୭୫ ପ୍ରତିଶତ ରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ଏହି ସୁବିଧା ମିଳୁଥିଲା । ଭିନ୍ନକ୍ଷମ ମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ଉଦ୍ୟମ ସହିତ ପରିବାର ଓ ସମାଜ ଆଗେଇ ଆସିଲେ ସେମାନେ ଆତ୍ମବିଶ୍ଵାସର ସହ ଆଗେଇ ଚାଳିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ଲକ୍ଷ୍ମୀପ୍ରିୟା ପତ୍ର,ଦୀପ୍ତି ଦାସ,ନିରଞ୍ଜନ ବେହେରା ,ସିଦ୍ଧାର୍ଥ କୁମାର ଶୁକ୍ଳା ,ହରିହର ଦେଓ ଏବଂ ଶ୍ରୀମାନ ସୌନ୍ଦର୍ଯ୍ୟ ଙ୍କୁ ରାଜ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପୁରସ୍କାର ବାବଦରେ ୧୦ ହଜାର ଟଙ୍କା, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏତଦବ୍ୟତୀତ ବାଣୀବିହାର ର ଷଷ୍ଠ ବର୍ଷ ଦୃଷ୍ଟିହୀନ ପିଜି ଛାତ୍ରୀ ସାବିତ୍ରୀ ପ୍ରଧାନ ଏବଂ ଏମ୍ ଏସ୍ ଲ ଜଲେଜର ଏଲ୍.ଏଲ୍.ଏମ୍ ଛାତ୍ର ବିଭୁତି ଭୂଷଣ ସେନାପତି ଙ୍କୁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଲାପଟପ୍ ପ୍ରଦାନ କରିଥିଲେ । ଭିନ୍ନକ୍ଷମ ସୁମିତ୍ରା ସାହୁଙ୍କୁ ବିବାହ କରିଥିବା ପ୍ରମୋଦ ବେହେରାଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ପ୍ରଦାନ କରାଯାଇଥିଲା ।ଏତଦବ୍ୟତିତ ଭିନ୍ନକ୍ଷମଙ୍କୁ ବିଭିନ୍ନ ସୂଚନା ଦେବା ନିମନ୍ତେ ଏକ ନୂତନ ୱେବସାଇଟ୍ ଏବଂ ଟୋଲ ଫ୍ରି ନଂ-୧୮୦୦-୩୪୫୬୭୩୭ ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ,ସାଂସଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ସର୍ବଶ୍ରୀ ଅଶୋକ ପଣ୍ଡା,ଭାଗିରଥି ବଡଜେନା ଓ ବିଜୟ ମହାନ୍ତି ,ଭିନ୍ନକ୍ଷମ ଙ୍କ ପାଇଁ ରାଜ୍ୟ କମିଶନର ଶ୍ରୀମତୀ କସ୍ତୁରୀ ମହାପାତ୍ର ,ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର ଅଧ୍ୟକ୍ଷା ଡଃ ଶ୍ରୁତି ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ ।

Share in top social networks!