ବାତ୍ୟା ଓ ବନ୍ୟାରେ ୨୧,୭୬୬ କୋଟି ବରବାଦ୍

images (1)ବାତ୍ୟା ଫାଇଲିନ୍ ଓ ତା’ ପର ବନ୍ୟାରେ ରାଜ୍ୟରେ ୧୯ ଜିଲ୍ଲାର ୧୯୫ ଟି ବ୍ଲକ୍ ପ୍ରଭାବିତ ହୋଇଛନ୍ତି । ୬୪ଟି ପୌରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ଏଥି ସହିତ ଗତ ୧୫ ବର୍ଷର ପରିସଂଖ୍ୟାନ ଦେଇ ବିପର୍ଯ୍ୟୟ ଭରଣା ଲାଗି କେନ୍ଦ୍ର ଦେଇଥିବା ଅର୍ଥର ତାଲିକା ମଧ୍ୟ ମନ୍ତ୍ରୀ ପ୍ରଦାନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ଓ ବନ୍ୟା ଯୋଗୁଁ ୧୫ ହଜାର ୧୬୪ କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି । ସେହିପରି ଜନସାଧାରଣ ଓ ବ୍ୟକ୍ତି ବିଶେଷ ଙ୍କ କ୍ଷତିର ପରିମାଣ ୬ହଜାର ୬୦୨ କୋଟି ୮୭ ଲକ୍ଷ ଟଙ୍କା । ଅନୁଗୁଳ,ବାଲେଶ୍ଵର,ଭଦ୍ରକ,ବଲାଙ୍ଗୀର,କଟକ,ଦେବଗଡ,ଗଜପତି, ଗଞ୍ଜାମ,ଜଗତସିଂହପୁର ,ଯାଜପୁର ,କନ୍ଧମାଳ,କେନ୍ଦ୍ରାପଡା,କେନ୍ଦୁଝର,ଖୋର୍ଦ୍ଧା,କୋରାପୁଟ ,ମୟୂରଭଞ୍ଜ,ନୟାଗଡ,ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ କ୍ଷତି ହୋଇଛି । ଜିଲ୍ଲାପାଳମାନେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ପ୍ରଳୟଙ୍କରୀ ବାତ୍ୟା ଫାଇଲିନ୍ ଓ ତା’ପରବର୍ତ୍ତୀ ବନ୍ୟା ଯୋଗୁଁ ପ୍ରାୟ ୧୧ଲକ୍ଷ ହେକ୍ଟର ଚାଷଜମି କ୍ଷତି ହୋଇଛି । ଗଞ୍ଜାମ,ପୁରୀ,ଖୋର୍ଦ୍ଧା ,ବାଲେଶ୍ଵର,ଆଦି ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ସେହିପରି ଗତ ଅକ୍ଟୋବର ୨୧ ତାରିଖରୁ ୨୬ ତାରିଖ ମଧ୍ୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ତା ପ୍ରଭାବରେ ହୋଇଥିବା ବନ୍ୟା ଯୋଗୁଁ ୨ ଲକ୍ଷ ୫୦ ହଜାର ହେକ୍ଟର ଚାଷ ଜମି ପ୍ରବାଭିତ ହୋଇଛି । କେନ୍ଦ୍ରୀୟ ସହାୟତା ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ୧୯୯୫ ମସିହାରେ ହୋଇଥିବା ଭୟଙ୍କର ବର୍ଷାପାଇଁ ୨୯୭ କୋଟି ୭୨ ଲକ୍ଷ ଟଙ୍କା ଓ ବନ୍ୟା ପାଇଁ ୩୦୦କୋଟି କେନ୍ଦ୍ରକୁ ମଗାଯାଇଥିଲା । ତତ୍କାଳୀନ କେନ୍ଦ୍ର ସରକାର ମାତ୍ର ଦେଇଥିଲେ ୨୫ କୋଟି ଟଙ୍କା । ୧୯୯୬ ମସିହାରେ ମରୁଡି ପାଇଁ ୫୭୭କୋଟି ୭୦ଲକ୍ଷ ଟଙ୍କା ମଗାଯାଇଥିଲା । ମିଳିଥିଲା ମାତ୍ର ୫୫ଲକ୍ଷ । ୧୯୯୮ ମସିହା ରେ ମରୁଡି ପାଇଁ ୪୬୪ କୋଟି ୧୦ ଲକ୍ଷ ଟଙ୍କା ମଗାଯାଇଥିଲା । କିନ୍ତୁ କେନ୍ଦ୍ର କିଛି ଦେଲାନି । ୧୯୯୯ ମସିହା ମହାବାତ୍ୟାରେ କେନ୍ଦ୍ରକୁ ୬ହଜାର ୨୪୩କୋଟି ଟଙ୍କା ମଗାଯାଇଥିଲା । ମିଳିଥିଲା ମାତ୍ର ୮୨୫କୋଟି୧୫ଲକ୍ଷ ଟଙ୍କା ।

Share in top social networks!