ଓଡିଶୀ ଓ ଭାରତନାଟ୍ୟମ୍ ନୃତ୍ୟରେ ଉଦଘାଟିତ କୋଣାର୍କ ଉତ୍ସବ

46004ବିଶ୍ଵ ଐତିହ୍ୟର କମନୀୟ ପ୍ରକାଶ କୋଣାର୍କ ମନ୍ଦିରର ପାଦଦେଶରେ ଆୟୋଜିତ କୋଣାର୍କ ଉତ୍ସବ ୨୦୧୩ ଏକ ମନୋଜ୍ଞ ପରିବେଶରେ ଉଦଘାଟିତ ହୋଇଛି । ପ୍ରାରମ୍ଭରେ ଓଡିଶୀ ନୃତ୍ୟ ପ୍ରସ୍ତୁତ କରିଥିଲେ ଛତିଶଗଡ ରାୟପୁରସ୍ଥ ଶ୍ରୀ ନୃତ୍ୟ ପ୍ରଜ୍ଞା ଅନୁଷ୍ଠାନ ଶିଳ୍ପୀ ପୂର୍ଣ୍ଣଶ୍ରୀ ରାଉତ ,ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି ଓ ସାଥି । ପ୍ରଥମ ଚରଣରେ ‘ଅର୍ଦ୍ଧ ନାରୀଶ୍ଵର’ ର ନୃତ୍ୟାଭିନୟ ସିବା ଓ ଶିବାଙ୍କ ମିଳନର ଚେତନା ପ୍ରକଟ କରିଥିଲା । ଏହାପରେ ଭକ୍ତ କବି ସାଲବେଗ କୃତ ଜଗନ୍ନାଥ ଜଣାଣ ‘ଆହେ ନୀଳ ଶଇଳ’ କୁ ଭାବ ପୂର୍ଣ୍ଣ ଭାବେ ପରିବେଷଣ କରିଥିଲେ ଶିଳ୍ପୀଗଣ । ଦ୍ଵିତୀୟ ପର୍ଯ୍ୟାୟରେ ଉପସ୍ଥାପିତ ହୋଇଥିଲା ଶ୍ରୀମତୀ ଅନିତା ଗୂହା ଓ ସାଥିଙ୍କ ଭାରତନାଟ୍ୟମ୍ ‘ସୂର୍ଯ୍ୟାଷ୍ଟକମ୍’ ରେ ସୂର୍ଯ୍ୟ ଦେବଙ୍କୁ ଆରାଧନା କରିବା ପୂର୍ବକ ସକଳ ଶକ୍ତିର ଆଧାର ଭାବେ ଅଭିହିତ କରିଥିଲେ ନୃତ୍ୟଶିଳ୍ପୀ । ଏହାପରେ ଭାରତନାଟ୍ୟମ୍ ନୃତ୍ୟରେ ଉପସ୍ଥାପିତ ହୋଇଥିଲା ‘ଅର୍ଦ୍ଧ ନାରୀଶ୍ଵର’ ଓ ପରେ ପରେ ମହାରାଜା ସ୍ଵାତୀ ତିରୁନାଲ କୃତ ‘ଭାବୟାମୀ ରଘୁରାମମ’ କୁ ଭାବପୂର୍ଣ୍ଣ ଭାବେ ପ୍ରକାଶ କରିଥିଲେ ‘ଭାରତାଞ୍ଜଳି’ ର ଶିଳ୍ପୀଗଣ । ଅନ୍ତିମ ପ୍ରସ୍ତୁତିରେ ଥିଲା ‘ତିଲାନା’ ଯାହା ଶାସ୍ତ୍ରୀୟ ଭାରତନାଟ୍ୟମ୍ ର ଏକ ବିଶେଷ ଅଙ୍ଗ । ରାଜ୍ୟ ପର୍ଯ୍ୟଟନ,ସଂସ୍କୃତ ବିଭାଗ ଓ ସଂଗୀତ ନାଟକ ଏକାଡ଼େମୀର ଅଧିକାରୀ ଓ କର୍ମକର୍ତ୍ତା ଗଣ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହାକୁ ସଂଯୋଜନା କରିଥିଲେ ଡଃ ସାଧନା ଶ୍ରୀ ବାସ୍ତବ ଓ ଡଃ ମୃତ୍ୟୁଞ୍ଜୟ ରଥ । ଆଜିର ପ୍ରଥମ ସନ୍ଧ୍ୟାର ମୁଖ୍ୟ ଅତିଥିଭାବେ ପର୍ଯ୍ୟଟନ ମନ୍ତ୍ରୀ ମହେଶ୍ଵର ମହାନ୍ତି ଏବଂ ସମ୍ମାନୀୟ ଅତିଥିଭାବେ ଯୋଜନା ଉପାଧ୍ୟକ୍ଷ,ସୁରେନ୍ଦ୍ର ନାଥ ନାୟକ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା , ନିମାପଡା ବିଧାୟକ ସମୀର ରଞ୍ଜନ ଦାସ,କାକଟପୁର ବିଧାୟକ ରବି ମଲ୍ଲିକ,ପର୍ଯ୍ୟଟନ ସଚିବ ଏସ୍.ପି.ଠାକୁର ଓ ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

Share in top social networks!